ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ଆସି ପହଞ୍ଚିଛି ଆସାମ ପୋଲିସ । ବିଭିନ୍ନ ଠକେଇ ମାମଲାରେ ଅଭିଯୁକ୍ତ ସମୀର ପଟ୍ଟନାୟକଙ୍କୁ ଧରିବା ପାଇଁ ଗୁରୁବାର ଦିନ ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ସୁଭଦ୍ରା ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା । ଆସାମ ପୋଲିସ ସହ ଇନ୍ଫୋସିଟି ପୋଲିସ ମଧ୍ୟ ଉକ୍ତ ଆପାର୍ଟମେଣ୍ଟ ରେ ପହଞ୍ଚିଥିବାବେଳେ ପ୍ରାୟ ୫ ଘଣ୍ଟା ଧରି ଘର ବାହାରେ ଅପେକ୍ଷା କରି ରହିଥିଲେ । ଘର ଖୋଲି ନଥିଲେ ଅଭିଯୁକ୍ତ ସମୀର ପଟ୍ଟନାୟକଙ୍କ ପତ୍ନୀ । ଏହାପରେ ଅନନ୍ୟୋପାୟ ହୋଇ ଜଣେ କାଠ ମିସ୍ତ୍ରୀଙ୍କୁ ଡାକି ଉକ୍ତ ଫ୍ଲାଟର ମୁଖ୍ୟ ଦ୍ୱାର କଟାଯାଇ ଭିତରକୁ ପୋଲିସଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ମାନେ ପଶିଥିଲେ । ଏହି ସମୟରେ ଘର ଭିତରେ କେବଳ ଅଭିଯୁକ୍ତ ସମୀର ପଟ୍ଟନାୟକଙ୍କ ପତ୍ନୀ ଥିଲେ I ତେବେ ସେ ଏତେ ସମୟ ଧରି ଘର ନଖୋଲିବାର କାରଣ ତାଙ୍କ ପୁଅ କହିଥିଲେ ବୋଲି ସଫେଇ ଦେଇଥିଲେ । ତାଙ୍କ ପୁଅ ଜଣେ ଆଡ଼ଭୋକେଟ ଏବଂ ମହିଳା ଜଣକ ଏକୁଟିଆ ଥିବାରୁ ପୁଅ କବାଟ ଖୋଲିବାକୁ ନାହିଁ କରିଥିଲେ ବୋଲି କହିଛନ୍ତି । ତେବେ ମୋଷ୍ଟ ଓ୍ବାଣ୍ଟେଡ୍ ଠକ ସମୀର ପଟ୍ଟନାୟକ ଫେରାର ଅଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କୁ ଧରିବା ପାଇଁ ଆସାମ ପୋଲିସ ସହିତ କମିଶନରେଟ ପୋଲିସ ତାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରିରଖିଛନ୍ତି । ତେବେ ଅପରାହ୍ନରେ ଏହି ଘଟଣାରେ ତାଙ୍କର ଅନ୍ୟତମ ସହଯୋଗୀ ନିରୂପ ସୁନ୍ଦର ଚୌଧୁରୀଙ୍କୁ ଗିରଫ କରି ଇନ୍ଫୋସିଟି ଥାନାକୁ ଅଣାଯାଇଛି । ଉଭୟେ ଆସାମରେ ରହି ସହଭାଗିତାରେ ବ୍ୟବସାୟ କରୁଥିଲେ ଏବଂ ସେଠାରେ ବିଭିନ୍ନ ଠକେଇ ମାମଲାରେ ସମ୍ପୃକ୍ତ ରହି ଭୁବନେଶ୍ୱରରେ ଆସି ଲୁଚିଥିବା ଜଣା ପଡିଛି ।
