ପାଟନା: ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରୁଥିବାବେଳେ ଭାରତ-ନେପାଳ ସୀମାରେ ୫ ବିଦେଶୀ ନାଗରିକ ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ସୁଦାନ ଓ ଜଣେ ବଲିଭିଆର। ଶନିବାର ରାତିରେ ସେମାନଙ୍କୁ ରକ୍ସାଉଲ ବସଷ୍ଟାଣ୍ଡରୁ ପୁଲିସ ଧରିଛି। ଭାରତରେ ପ୍ରବେଶ ପାଇଁ ସେମାନଙ୍କ ନିକଟରେ କୌଣସି ବୈଧ ପ୍ରମାଣପତ୍ର ନଥିଲା। ଅଗରୱା ଗାଁ ନିକଟରେ ଭାରତ ସୀମାରେ ପ୍ରବେଶ କରିବା ସମୟରେ ସୀମା ସଶସ୍ତ୍ରବଳ ଏବଂ ଜିଲ୍ଲା ପୁଲିସ ସେମାନଙ୍କୁ ଧରିଥିଲେ। ପୁଲିସ ଆଖିରୁ ଖସିବାକୁ ସେମାନେ ଗ୍ରାମୀଣ ରାସ୍ତା ବାଛିଥିଲେ। ଅବଦୁଲା ଫିତାହ (୪୪), ରାମା ସିଦ୍ଦିକ (୩୮), ଅଲ୍ଲୀ ଅବଦୁଲ ଗଫର (୨୭), ଅହମ୍ମଦ ଡଫାଲ୍ଲା (୩୭) ସୁଦାନ ନାଗରିକ ହୋଇଥିବାବେଳେ ମିଗୁଏଲ ସୋଲାନି ସାଭେଜା (୩୨) ବଲିଭିଆ ନାଗରିକ। ଭାରତକୁ ଆସିବା ନେଇ ସେମାନଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ପଚରାଉଚରା କରାଯାଉଛି ବୋଲି ପୂର୍ବ ଚମ୍ପାରନ ଏସ୍ପି ସ୍ବର୍ଣ୍ଣ ପ୍ରଭାତ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ଅନେକ ସନ୍ଦିଗ୍ଧ କାଗଜପତ୍ର ଜବତ କରାଯାଇଛି।

Comments are closed.