କାଠମାଣ୍ଡୁ : ନେପାଳରେ ଆନ୍ଦୋଳନ ବିସ୍ଫୋରକ ରୂପ ନେବାପରେ ସରକାର ବାଧ୍ୟ ହୋଇ ପଛକୁ ହଟିଛନ୍ତି। ସୋସିଆଲ ମିଡିଆ ସାଇଟ୍ଗୁଡ଼ିକ ବନ୍ଦ ପାଇଁ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି। କ୍ୟାବିନେଟ୍ର ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନେପାଳର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବ୍ବା ଗୁରୁଙ୍ଗ ଘୋଷଣା କରିଛନ୍ତି। ଜେନ୍-ଜିଙ୍କ ଦାବି ମୁତାବକ ସୋସିଆଲ ମିଡିଆ ସାଇଟ୍ଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫେସ୍ବୁକ୍, ୟୁଟ୍ୟୁବ୍ ଓ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟ୍ଫର୍ମକୁ ନିଷିଦ୍ଧ କରିବାକୁ ସରକାର ନିଷ୍ପତ୍ତି ନେବା ପରେ ସୋମବାର ନେପାଳରେ ବ୍ୟାପକ ବିକ୍ଷୋଭ ଆରମ୍ଭ ହୋଇଛି। ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ହଜାର ହଜାର ବିକ୍ଷୋଭକାରୀ କାଠମାଣ୍ଡୁରେ କଣ୍ଟା ତାରବାଡ଼ ଡେଇଁ ଦେଶର ସଂସଦକୁ ଘେରାଉ କରିଥିଲେ। ଭିଡ଼ ପୁଲିସକୁ ପଛକୁ ହଟିବାକୁ ବାଧ୍ୟ କରିବା ପରେ ପୁଲିସ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଓ ପାଣି ମାଡ଼ କରିଥିଲା। ବିକ୍ଷୋଭକାରୀମାନେ ସଂସଦ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ପରେ ସଂସଦ ଭବନ, ସରକାରୀ ସଚିବାଳୟ, ରାଷ୍ଟ୍ରପତି ଭବନ ଓ ସହରର ପ୍ରମୁଖ ଅଞ୍ଚଳ ବାହାରେ ସେନା ମୁତୟନ କରାଯିବା ସହ କର୍ଫ୍ୟୁ ଲାଗୁ କରାଯାଇଥିଲା। ବିକ୍ଷୋଭକାରୀମାନେ ‘ସୋସିଆଲ ମିଡିଆ ନୁହେଁ ଦୁର୍ନୀତି ବନ୍ଦ କର’ ଏବଂ ‘ଦୁର୍ନୀତି ବିରୋଧରେ ଯୁବବର୍ଗ’ ସ୍ଲୋଗାନ ଥିବା ପ୍ଲାକାର୍ଡ ଧରି କାଠମାଣ୍ଡୁ ଦେଇ ଶୋଭାଯାତ୍ରା କରିଥିଲେ।
