ବ୍ରଜିଲିଆ: ବ୍ରାଜିଲରେ ଓରୋପୋଚ ଜ୍ୱରରେ ବିଶ୍ୱର ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି ବୋଲି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଦୁଇଜଣ ହେଉଛନ୍ତି ୩୦ ବର୍ଷରୁ କମ୍ ବୟସର ମହିଳା, ଯେଉଁମାନେ ବାହିୟା ରାଜ୍ୟରେ ରହୁଥିଲେ ଏବଂ ପୂର୍ବରୁ ସେମାନଙ୍କ ଠାରେ କୌଣସି ରୋଗ ନଥିଲା। ସେମାନଙ୍କର ଲକ୍ଷଣ ଗମ୍ଭୀର ଡେଙ୍ଗୁ ଜ୍ୱର ସହିତ ସମାନ ଥିଲା।
ପାନ୍ ଆମେରିକାନ୍ ହେଲ୍ଥ ଅର୍ଗାନାଇଜେସନ (ପିଏଏଚ୍ଓ) ଆମେରିକାର କେତେକ ସ୍ଥାନରେ ଓରୋପୋଚ ଭୂତାଣୁ ସଂକ୍ରମଣ ବଢ଼ୁଥିବା ନେଇ ଚେତାବନୀ ଦେଇଛି। ସଂକ୍ରମିତ ମାଛି ଓ ମଶା କାମୁଡ଼ିବା ଦ୍ୱାରା ଏହି ଭୂତାଣୁ ବ୍ୟାପିଥାଏ। ୧୯୬୦ ମସିହାରେ ବ୍ରାଜିଲରେ ଓରୋପୋଚ ଜ୍ୱର ସୃଷ୍ଟିକାରୀ ଭୂତାଣୁ ଅର୍ଥୋବୁନିଆଭାଇରସ୍ ଓରୋପୋଚିନ୍ସେ ପ୍ରଥମେ ଚିହ୍ନଟ ହୋଇଥିଲା। ସେବେଠାରୁ ମୁଖ୍ୟତଃ ଆମାଜନ ଅଞ୍ଚଳ ଏବଂ ପାନାମା, ଆର୍ଜେଣ୍ଟିନା, ବୋଲିଭିଆ, ଇକ୍ୱେଡର, ପେରୁ ଓ ଭେନେଜୁଏଲା ଭଳି କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକୀୟ ଦେଶରେ ବେଳେବେଳେ ସଂକ୍ରମଣ ଓ ପ୍ରକୋପ ଦେଖିବାକୁ ମିଳୁଛି। ଏହି ଜ୍ୱରର ଲକ୍ଷଣ ସାଧାରଣତଃ ସଂକ୍ରମିତ ମଶା କାମୁଡ଼ିବାର ୪ରୁ ୮ ଦିନ ପରେ ଦେଖାଯାଏ ଏବଂ ଏହା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ଚର୍ମରେ ଫଳିଯିବା ପରି ଦାଗ, ଓକାର ଓ ବାନ୍ତି, ମୁଣ୍ଡ ବୁଲାଇବା ଏବଂ ଆଲୋକ ପ୍ରତି ସମ୍ବେଦନଶୀଳତା ଏହି ଲକ୍ଷଣଗୁଡିକର ଅନ୍ତର୍ଭୁକ୍ତ।

Comments are closed.