ବିଆରଏସ ରୁ କେ. କବିତା ନିଲମ୍ୱିତ

0

ତେଲଙ୍ଗାନା : ତେଲଙ୍ଗାନା ରାଜୀନତିରେ ଝଡ଼ । ଦଳ ବିରୋଧୀ ମନ୍ତବ୍ୟ ପାଇଁ ଭାରତ ରାଷ୍ଟ୍ର ସମିତି (BRS) ଦଳରୁ ନିଲମ୍ବିତ ହେଲେ କେ.କବିତା । କବିତାଙ୍କୁ ବିଦା କରିଛନ୍ତି ବିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ । ବିବାଦୀୟ ବୟାନ ଓ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେସିଆର । ବିଆରଏସ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରିଛି। ଦଳ କହିଛି ଯେ, କବିତାଙ୍କ କାର୍ଯ୍ୟକଳାପ ଦଳ ବିରୋଧୀ ରହିଆସିଛି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି। ଦଳ ଭିତରେ କ୍ଷମତାକୁ ନେଇ କେଟିଆର ଓ କେସିଆରଙ୍କ ମଧ୍ୟରେ ଗତ କିଛି ମାସ ଧରି ଶୀତଳ ଯୁଦ୍ଧ ଲାଗି ରହିଥିଲା ।

ଗତକାଲି ବିଆରଏସର ବରିଷ୍ଠ ନେତା ଟି ହରିଶ ରାଓ ଓ ପୂର୍ବତନ ସାଂସଦ ମେଘା କ୍ରିଷ୍ଣା ରେଡ୍ଡୀଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ କବିତା । ଏହାସହ ତାଙ୍କୁ ଦଳରୁ ସାଇଡଲାଇନ କରିବାରେ ହରିଶ ରାଓ ଏବଂ ସନ୍ତୋଷ କୁମାର ଷଡ଼ଯନ୍ତ୍ର କରିଥିବା କହିଥିଲେ । ଏହାର ଦିନକ ପରେ ଦଳୀୟ ଶୃଙ୍ଖଳା ଭଙ୍ଗ ନେଇ ନିଲମ୍ବନ କରିଛନ୍ତି କେସିଆର । ତେଲେଙ୍ଗାନାର କଂଗ୍ରେସ ନେତୃତ୍ୱାଧୀନ ସରକାର କାଳେଶ୍ୱରମ୍ ପ୍ରକଳ୍ପରେ ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ହସ୍ତାନ୍ତର କରିବାର ଗୋଟିଏ ଦିନ ପରେ ଏଭଳି ଆରୋପ ଲଗାଇଥିଲେ କବିତା।

ତେବେ ରାଜନୀତି ପାଇଁ ପରିବାରରେ ବିବାଦ ନୂଆ ନୁହେଁ । କିଛି ମାସ ପୂର୍ବରୁ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ବଡ଼ପୁଅ ତେଜପ୍ରତାପଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଦଳରୁ ୬ବର୍ଷ ପାଇଁ ବହିଷ୍କାର କରିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶରେ ୱାଇଏସଆରସିପି ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ଭଉଣୀ ୱାଇ ଏସ ଶର୍ମିଲା । ଶର୍ମିଲା ଆନ୍ଧ୍ର ପ୍ରଦେଶ କଂଗ୍ରେସର ମୁଖ୍ୟ ଥିବା ବେଳେ ଜଗନ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ।

Govt
Leave A Reply

Your email address will not be published.