ଶ୍ରୀଜଗନ୍ନାଙ୍କର ଶ୍ରୀମନ୍ଦିରରେ ପ୍ରତ୍ୟେକଦିନ କିଛି ନା କିଛି ପର୍ବନୀତି ପାଳିତ ହୋଇଥାଏ । ଯେଉଁଥିପାଇଁ ଠାକୁରଙ୍କର ବିଭିନ୍ନ ବେଶ ମଧ୍ୟ ହୋଇଥାଏ । ଏହି ଦିନମାନଙ୍କରେ ପର୍ବ ଅନୁଯାୟୀ ସମସ୍ତ ରୀତିନୀତି କରାଯାଇଥାଏ ।
ରଥଯାତ୍ରା
ଏହିଯାତ୍ରା ସବୁଠାରୁ ପ୍ରସିଦ୍ଧ ଯାତ୍ରା । ଏହା ଆଷାଢଶୁକ୍ଳ ଦ୍ବିତୀୟାରେ ଆରମ୍ଭ ହୋଇ ନଅ ଦିନ ଧରି ଚାଲିଥାଏ । ଏହି ଯାତ୍ରାରେ ପ୍ରଭୁ ଜଗନ୍ନାଥ ନିଜ ଭାଇ ଭଉଣୀଙ୍କ ସହିତ ମାଉସୀ ଘର ବୁଲିବାକୁ ଯାଆନ୍ତି ଏବଂ ୯ ଦିନ ପରେ ଫେରି ଆସନ୍ତି । ଏହି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ଘଟିଥାଏ । ସାରା ବିଶ୍ବରୁ ଲୋକମାନେ ରଥଯାତ୍ରା ଦେଖିବାକୁ ପୁରୀରେ ଏକାଠି ହୋଇଥାଆନ୍ତି । ଏହି ଦିନମାନଙ୍କରେ ପ୍ରଭୁଙ୍କର ସ୍ବତନ୍ତ୍ରନୀତି ହେଉଥିବାର ଦେଖିବାକୁ ମିଳିଥାଏ ।
ଗରୁଡ ଶୟନ
ଏହି ନୀତି ଆଷାଢ ଶୁକ୍ଳ ଦ୍ବାଦଶୀ ଦିନ ପାଳନ ହୋଇଥାଏ । କିନ୍ତୁ ଶ୍ରୀଜିଉମାନେ ରତ୍ନ ସିଂହାସନକୁ ଫେରିଲା ପରେ ଓ ସୁବୁସୁଆର ଶୀତଳ ଭୋଗ ଓ ଆଳତୀ ବନ୍ଦାପନା ପରେ ଶୟନ ନୀତି ହୁଏ ।
କର୍କଟ ସଂକ୍ରାନ୍ତି
ଏହି ନୀତି କର୍କଟ ସଂକ୍ରାନ୍ତି ପାଳନର ନିୟମ ରହିଛି । ଏହି ନୀତିରେ ଭିନ୍ନସେବାୟତମାନେ ସାମିଲ ହୋଇଥାଆନ୍ତି । ଏହି ନୀତି ସକାଳ ଧୂପ ଓ ଭୋଗମଣ୍ଡପ ଧୂପ ସରିବା ପରେ ହୁଏ । ରଥ ଉପରେ ଶ୍ରୀଜିଉମାନେ ଥିବାସମୟରେ ଏହା ପଡିଲେ ସେହି ସମୟରେ ଏହି ନୀତି ହୋଇଥାଏ ।
ଚିତାଲାଗି ଅମାବାସ୍ୟା
ଏହି ନୀତି ଶ୍ରାବଣ ମାସ ଅମାବାସ୍ୟାଦିନ ପାଳନ ହୋଇଥାଏ । ଏହି ଦିନ ତିନି ଠାକୁରଙ୍କୁ ଚିତା ଲାଗି କରାଯାଇଥାଏ । ରଥଯାତ୍ରା ସମୟରେ ଧାରଣ କରିଥିବା ସୋଲର ଚିତାକୁ କଢାଯାଇ ରତ୍ନ ଚିତା ଠାକୁରଙ୍କୁ ଲାଗି କରାଯାଇଥାଏ । ଏହି ସେବାରେ ବିଭିନ୍ନ ସେବାୟତ ସାମିଲ ରହିଥାଆନ୍ତି । ଦଇତାପତିମାନେ ଶ୍ରୀଜିଉଙ୍କୁ ଚିତା ଲାଗି କରନ୍ତି ।
ବାଡି ନୃସିଂହ ବିଜେ
ଏହି ନୀତି ଶ୍ରାବଣ ଶୁକ୍ଳପକ୍ଷ ନବମୀଦିନ ଅନୁଷ୍ଠିତ ହୋଇଥାଏ । ଏହି ନୀତି ଆଗରୁ ହେଉନଥିଲା । ବାବୁ ରାଜକିଶୋର ଦାସ ଗତପତି ଦାୟିତ୍ବରେ ଥିବାବେଳେ ପୁରୀରେ ବାଡି ରୋଗ ବ୍ୟାପିଥିଲା, ଯାହାପରେ ଏହି ନୀତି ଆରମ୍ଭ ହୋଇଥିଲା । ଏହି ନୀତିରେ ବିମାନରେ ପ୍ରଭୁ ନୃସିଂହଙ୍କୁ ନେଇ ଚାରି ଆଶ୍ରମ ବୁଲାଯାଇଥାଏ ।
ଝୁଲଣ ଯାତ୍ରା
ଏହି ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ପ୍ରତିପଦା ଯାଏ ସାତଦିନ ପାଳନ ହୋଇଥାଏ । ଏହି ନୀତିରେ ବିଭିନ୍ନ ପ୍ରକାରର ସେବାୟତ ସାମିଲ ହୋଇଥାଆନ୍ତି । ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଲକ୍ଷ୍ମୀ ଓ ସରସ୍ବତୀ ଏବଂ ଦକ୍ଷିଣ ଘରୁ ମଦନମୋହନଙ୍କୁ ଆଣି ଦକ୍ଷିଣ ଘରେ ଖଟ ଶେଯ ଉପରେ ବିଜେ କରନ୍ତି । ସେଠାରେ ପୂଜାବିଧି ପରେ ଝୁଲଣ ମଣ୍ଡପରେ ବିଜେ କରାନ୍ତି, ଯେଉଁଠାରେ ଝୁଲଣ ଦୋଳି କରାଯାଇଥାଏ ।
ରାହୁରେଖା ଲାଗି
ଭାଦ୍ରକୃଷ୍ଣ ପଞ୍ଚମୀରେ ଶ୍ରୀଜିଉମାନଙ୍କର ରାହୁରେଖା ଲାଗିହୁଏ ।
ଶ୍ରୀକୃଷ୍ଣ ଜନ୍ମ
ଭାଦ୍ରକୃଷ୍ଣ ସପ୍ତମୀରେ ଶ୍ରୀଜିଉଙ୍କର ବନ୍ଦାପନା ହୁଏ । ଏହାକୁ ଗର୍ଭଉଦକ ବନ୍ଦାପନା କୁହନ୍ତି । ସପ୍ତମୀ ପରଦିନ ଅଷ୍ଟମୀରେ ସନ୍ଧ୍ୟାପରେ ୟଜ ବିଜୟ ଦ୍ବାର ବନ୍ଦ ହୁଏ । ଏହାପରେ ଶ୍ରୀକୃଷ୍ଣ ଜନ୍ମର ସମସ୍ତ ନୀତି ପାଳନ ହୋଇଥାଏ ।
ନନ୍ଦ ଉତ୍ସବ
ଏହା ଭାଦ୍ରବ କୃଷ୍ଣ ନବମୀ ଦିନ ଅନୁଷ୍ଠିତ ହୋଇଥାଏ । ଏହି ସେବାରେ ବିଭିନ୍ନ ପ୍ରକାର ସେବାୟତମାନେ ସାମିଲ ହୋଇଥାଆନ୍ତି । ଜଗମୋହନରେ ବନ୍ଧା ହୋଇଥିବା ଦୋଳିରେ ଦିଅଁକୁ ଝୁଲା ଯାଇଥାଏ ଏବଂ ଏହାପରେ ନନ୍ଦୋତ୍ସବ ପାଳନ ହୋଇଥାଏ ।
ଭାଦ୍ରକୃଷ୍ଣ ଦଶମୀରେ ବନଭୋଜି ବେଶ
ମଧ୍ୟାହ୍ନଧୂପ ପରେ ଏହି ନୀତି ସମାପନ ହୋଇଥାଏ । ବଡଛତା ମଠରେ ଥିବା ଦିଅଁ ବିଜେ ହୋଇ କୋଳିବିକା ନୀତି କରନ୍ତି । ପଶୁପାଳରମାନେ ମଧ୍ୟ ଧୂପରେ ଶ୍ରୀଜିଉଙ୍କୁ ବନଭୋଜି ବେଶ କରନ୍ତି । ବାଲିସାହି ଓ ହରଚଣ୍ଡି ସାହି ତରଫରୁ ବକାସୁର ଓ ଅର୍ଘାସୁର ବଧ ନୀତି କରାଯାଏ ।
ଭାଦ୍ରକୃଷ୍ଣ
ଏକାଦଶୀରେ କାଳୀୟ ଦଳନ ବେଶ ଓ ଧେନୁକା ଅସୁରବଧ ଲୀଳା ହୁଏ ଓ ଭାଦ୍ରକୃଷ୍ଣ ଦ୍ବାଦଶୀରେ ପ୍ରଳମ୍ବାସୁର ବଧ ଲୀଳା ହୁଏ । ଭାଦ୍ରକୃଷ୍ଣ ତ୍ରୟୋଦଶୀରେ କୃଷ୍ଣ ବଳରାମ ବେଶ ନୀତି ହୁଏ ।