ଭୁବନେଶ୍ୱର : ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା ପାଇଁ ପ୍ରକାଶ ପାଇଛି ପରୀକ୍ଷା ସୂଚୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଣିକି ଆଉ ଦୁଇଟି ସମେଟିଭ ନୁହେଁ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ପ୍ରତ୍ୟେକ ବିଷୟରେ ୧୦୦ ମାର୍କର ପରୀକ୍ଷା ହେବ। ବୋର୍ଡ ପରୀକ୍ଷାର ୮୦ ପ୍ରତିଶତ ଓ ସ୍କୁଲରେ ହୋଇଥିବା ଇଣ୍ଟରନାଲ ପରୀକ୍ଷାର ୨୦ ପ୍ରତିଶତ ନମ୍ବର ମିଶି ମାର୍କ ସିଟ ପ୍ରସ୍ତୁତ ହେବ। ଅନଲାଇନରେ ଦିଆଯିବ ନବମ ଶ୍ରେଣୀ ପ୍ରଶ୍ନପତ୍ର। ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକତ୍ରିତ ଚାଲିବ।
ଗୋଟିଏ ଲେଖାଏଁ ସିଟିଂରେ ହେବ ପ୍ରତି ବିଷୟ ପରୀକ୍ଷା । ସେଥିପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି Iଫେବ୍ରୁଆରୀ ୨୦ରେ ସାହିତ୍ୟ, ୨୩ରେ ଇଂରାଜୀ ପରୀକ୍ଷା। ଫେବ୍ରୁଆରୀ ୨୬ରେ ଗଣିତ, ୨୮ରେ ସଂସ୍କୃତ/ହିନ୍ଦୀ ପରୀକ୍ଷା ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ହେବ । କେବଳ ଗଣିତ ପାଇଁ ପରୀକ୍ଷାର୍ଥୀଙ୍କୁ ୧୫ମିନିଟ ଅଧିକ ସମୟ ଦିଆଯିବ।
ପରୀକ୍ଷାର ସୁପରିଚାଳନା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା ଗଠନ କରାଯାଇଛି। ସମସ୍ତ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା। ଆର୍ଟିଫିସିଆଲ ଇଣ୍ଟେଲିଜେନସ ମାଧ୍ୟମରେ ବୋର୍ଡ ପରୀକ୍ଷାକୁ ନିୟନ୍ତ୍ରଣ କରିବ ବୋଲି କୁହାଯାଇଛି। ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବ ଖାତା ଦେଖା ।

Comments are closed.