ଟୋକିଓ: ମୃତ୍ୟୁଦଣ୍ଡାଦେଶ ପାଇ ଜେଲରେ ୪୬ ବର୍ଷ କାଟିବା ପରେ ଶେଷରେ ଜଣେ ବ୍ୟକ୍ତି ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ମୁକ୍ତ ହୋଇଛନ୍ତି। ପ୍ରାୟ ଅର୍ଦ୍ଧଶତାବ୍ଦୀ ପରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ ହେବାର ପ୍ରମାଣ ମିଥ୍ୟା ଥିଲା ବୋଲି ରାୟ ଦେଇଛନ୍ତି। ୮୮ ବର୍ଷୀୟ ପୂର୍ବତନ ମୁଷ୍ଟିଯୋଦ୍ଧା ଇୱାଓ ହାକାମାଦାଙ୍କ ଅସୁସ୍ଥତା ଯୋଗୁଁ ତାଙ୍କ ପୁନର୍ବିଚାରର ଫଳାଫଳ ଜାଣିବା ପାଇଁ କୋର୍ଟରେ ଉପସ୍ଥିତ ରହିବାକୁ ବାରଣ କରାଯାଇଥିଲା। କିନ୍ତୁ ତାଙ୍କ ୯୧ ବର୍ଷୀୟା ଭଉଣୀ ହିଡେକୋ, ହାକାମାଦାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିବା ବିଚାରପତିଙ୍କ ଆଗରେ କୃତଜ୍ଞତା ଜଣାଇଥିଲେ। ୧୯୬୮ ମସିହାରେ ନିଜ ମାଲିକ, ତାଙ୍କ ପତ୍ନୀ ଓ ଦୁଇ ନାବାଳିକା ସନ୍ତାନଙ୍କୁ ଲୁଟ୍ କରି ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ହାକାମାଦାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ସେବେଠାରୁ ୪୬ ବର୍ଷ ଧରି ସେ ଜେଲରେ ଅଛନ୍ତି। କୋର୍ଟଙ୍କ ରାୟରେ କୁହାଯାଇଛି ଯେ ତଦନ୍ତକାରୀମାନେ ପୋଷାକ ଉପରେ ରକ୍ତ ପକାଇ ତାଙ୍କୁ ଦୋଷୀ ବୋଲି ପ୍ରମାଣ କରିଥିଲେ। ଅମାନବୀୟ ଭାବରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ତାଙ୍କୁ ଅପରାଧ ସ୍ବୀକାର କରିବା ପାଇଁ ବାଧ୍ୟ କରାଯାଇଥିଲା। ୧୯୮୦ ମସିହାରେ ସୁପ୍ରିମ୍କୋର୍ଟ ହାକାମାଦାଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ମାମଲା ଖୋଲି ପୁନର୍ବିଚାର ପାଇଁ ଲଢ଼େଇ ଜାରି ରଖିଥିଲେ। ୨୦୧୪ରେ ପୁନର୍ବିଚାର ପାଇଁ ଅନୁମତି ମିଳିଥିଲା ଏବଂ ହାକାମାଦା ଜେଲରୁ ମୁକ୍ତ ହୋଇଥିଲେ। କିନ୍ତୁ ଗତବର୍ଷ ହିଁ ଶୁଣାଣି ଆରମ୍ଭ ହୋଇଥିଲା।

Comments are closed.