ଭୁବନେଶ୍ୱର : ପ୍ରମିଳା ମଲ୍ଲିକ ହେଲେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି I ଓଡ଼ିଶା ବିଧାନସଭାକୁ ମହିଳା ବାଚସ୍ପତି ଭାବରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ପ୍ରମିଳା ମଲ୍ଲିକ ବାଚସ୍ପତି । ଅନ୍ୟ କେହି ନାମାଙ୍କନ ଭରି ନଥିବାରୁ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।
ସେ ବିଧବଦ୍ଧ ଭାବେ ଶପଥ ଗ୍ରହଣ କରି ବାଚସ୍ପତି ଆସନ ଅଳଙ୍କୃତ କରିଛନ୍ତି । ଏହା ସହ ଇତିହାସ ରଚି ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସର୍ବସମ୍ମତି କ୍ରମେ ନିଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରମିଳା । ଗୃହର ପଦମର୍ଯ୍ୟାଦା ରକ୍ଷା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରମିଳା । ଗୃହର ସୁପରିଚାଳନାରେ ସହଯୋଗ କରିବାକୁ ସମସ୍ତଙ୍କୁ କହିଛନ୍ତି ବାଚସ୍ପତି ।
ସୂଚନାନୁସାରେ,୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା। ୨୦୨୨ ଜୁନ୍ ମାସରେ ଶ୍ରୀ ପାତ୍ର ଇସ୍ତଫା ଦେଲା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କଲେ। ଗତ ମେ’ ମାସରେ ଶ୍ରୀ ଆରୁଖ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ସେବେ ଠାରୁ ବାଚସ୍ପତି ପଦବି ଖାଲି ପଡ଼ିଥିଲା।
୬ ଥରର ବିଧାୟିକା, ଏକାଧିକ ଥର ମନ୍ତ୍ରୀ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକଙ୍କ ପାଖେ ବେଶ୍ ଅଭିଜ୍ଞତା ରହିଛି। ବିଧାନସଭାରେ ବାଚସ୍ପତି ପ୍ରାର୍ଥୀ ଭାବେ ଗତକାଲି ସେ ନାମାଙ୍କନ ଦାଖଲ କରିଥିଲେ।

Comments are closed.