ନୂଆଦିଲ୍ଲୀ: ପଂଜାବର ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସ୍ୟାଡ୍ (ଶିରୋମଣି ଅକାଳି ଦଳ) ପୂରୋଧା ପ୍ରକାଶ ସିଂହ ବାଦଲଙ୍କ ଗତକାଲି ରାତିରେ ପରଲୋକ ଘଟିଛି। ବାଦଲ ୫ ଥର ପଂଜାବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରକାଶ ସିଂହ ବାଦଲଙ୍କୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ଆଜି ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏପ୍ରିଲ ୨୬ ଏବଂ ୨୭ ତାରିଖରେ ରାଷ୍ଟ୍ରୀୟ ଶୋକ ପାଳନ ହେବ। ଏହି ସମୟରେ ସମସ୍ତ ସରକାରୀ ଭବନ ଗୁଡ଼ିକରେ ଜାତୀୟ ପତାକା ଅର୍ଦ୍ଧନମିତ ହେବ। ୨ ଦିନ ଧରି କୌଣସି ସରକାରୀ ମନୋରଂଜନ କାର୍ଯ୍ୟକ୍ରମ ହେବନାହିଁ।
ପ୍ରକାଶ ସିଂହ ବାଦଲଙ୍କର ୯୫ ବର୍ଷ ବୟସରେ ପରଲୋକ ଘଟିଛି। ବରିଷ୍ଠ ରାଜନେତା ବାଦଲ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତ ସପ୍ତାହରେ ସେ ମୋହାଲିର ଫୋର୍ଟିସ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିବାରୁ ତାଙ୍କର ଚିକିତ୍ସା ଜାରି ରହିଥିଲା। ଗତକାଲି ରାତି ପ୍ରାୟ ୮.୨୮ ସମୟରେ ପ୍ରକାଶ ସିଂହ ବାଦଲ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ପୁଅ ତଥା ଦଳର ସଭାପତି ସୁଖବୀର ସିଂହ ବାଦଲଙ୍କ ଜଣେ ବ୍ୟକ୍ତିଗତ ସହଯୋଗୀ ପ୍ରଥମେ ବାଦଲଙ୍କ ପରଲୋକ ସଂପର୍କିତ ଖବର ଟ୍ବିଟ୍ କରିଥିଲେ। ଭଟିଣ୍ଡାର ବାଦଲ ଗ୍ରାମରେ ପ୍ରକାଶ ସିଂହ ବାଦଲଙ୍କର ଆସନ୍ତାକାଲି ଶେଷ ସଂସ୍କାର ସମ୍ପନ୍ନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଦଲଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ ଏକ ଟ୍ବିଟ୍ କରି କହିଛନ୍ତି, ପ୍ରକାଶ ସିଂହ ବାଦଲଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ଭାରତୀୟ ରାଜନୀତିରେ ସେ ଜଣେ ବିଶାଳ ବ୍ୟକ୍ତିତ୍ବ ତଥା ଅଗ୍ରଣୀ ରାଷ୍ଟ୍ରନେତା। ଦେଶ ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଛି । ପଂଜାବର ପ୍ରଗତି ପାଇଁ ସେ ନିରନ୍ତର ଭାବେ କାମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.