ପୁଟିନଙ୍କ ସହ ତ୍ରିପାକ୍ଷିକ ଆଲୋଚନା ପାଇଁ ଟ୍ରମ୍ପ -ଜେଲେନସ୍କି ରାଜି

0

ୱାସିଂଟନ: ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାତିରେ ଓଭାଲ ଅଫିସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ‌‌ବୋଲଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି। ଆଲାସ୍କାରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗତ ଶୁକ୍ରବାର ଭେଟି ପ୍ରାୟ ୩ ଘଣ୍ଟା ଆଲୋଚନା କରିବାର ୩ ଦିନ ପରେ ଜେଲେନସ୍କିଙ୍କ ସହ ସାକ୍ଷାତ୍‌ ଯୁଦ୍ଧ ବନ୍ଦ କରିବାର ଆଶାକୁ ବଢ଼ାଇ ଦେଇଛି। ଉଭୟ ନେତା ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କ ସହ ମିଶି ଏକ ତ୍ରିପାକ୍ଷିକ ଆଲୋଚନା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଟ୍ରମ୍ପ ଆଜି ମଧ୍ୟ ତାଙ୍କ ପୁରୁଣା ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ତୁରନ୍ତ ଅସ୍ତ୍ରବିରତି ନିହାତି ଆବଶ୍ୟକ ନୁହେଁ। କିନ୍ତୁ ଯୁଦ୍ଧର ଅବସାନ ଶୀଘ୍ର ହେବା ଆବଶ୍ୟକ। ଭବିଷ୍ୟତରେ ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟି ଦେବା ପାଇଁ ଟ୍ରମ୍ପ ରାଜି ହୋଇଛନ୍ତି। ତାହା ଯୁଦ୍ଧ ବନ୍ଦ ପାଇଁ ହେବାକୁ ଥିବା ଶାନ୍ତି ରାଜିନାମାର ଏକ ଅଂଶ ‌ହେବ। ଜେଲନସ୍କିଙ୍କ ଉପସ୍ଥିତିରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୟୁକ୍ରେନକୁ ପ୍ରଥମ ଧାଡ଼ିର ସୁରକ୍ଷା ୟୁରୋପୀୟ ଦେଶଗୁଡ଼ିକ ଯୋଗାଇ ଦେବେ। କାରଣ ସେମାନେ ସେଠାରେ ଅବସ୍ଥିତ। ଆମେ ମଧ୍ୟ ୟୁକ୍ରେନର ସୁରକ୍ଷାରେ ସାମିଲ ହେବୁ। ସାକ୍ଷାତ ବେଶ୍‌ ସକାରାତ୍ମକ ପରିବେଶରେ ଆରମ୍ଭ ହୋଇଥିଲା। ଜେଲେନସ୍କିଙ୍କୁ ସ୍ବାଗତ କରିବା ବେଳେ ତାଙ୍କ ପୋଷାକକୁ ଟ୍ରମ୍ପ ପ୍ରଶଂସା କରିଥିଲେ। ୟୁକ୍ରେନର ପ୍ରଥମ ମହିଳା ଦେଇଥିବା ଚିଠିକୁ ଜେଲେନସ୍କି ଟ୍ରମ୍ପଙ୍କୁ ପ୍ରଦାନ କରିଥିଲେ। ତେବେ ଏହି ଚିଠି ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜେଲେନସ୍କି କହିଥିଲେ। ଜେଲେନସ୍କି ମଧ୍ୟ ପୁଟିନଙ୍କ ସହ ତ୍ରିପାକ୍ଷିକ ଆଲୋଚନା ପାଇଁ ରାଜିଥିବା କହିଛନ୍ତି। ଦେଶରେ ଯୁଦ୍ଧ ଚାଲିଥିଲେ ମଧ୍ୟ ନିର୍ବାଚନ କରିବାକୁ ସେ ଏବଂ ତାଙ୍କ ଦେଶ ରାଜିଥିବା ସେ ସୂଚନା ଦେଇଛନ୍ତି। ଯୁଦ୍ଧ ବନ୍ଦ ପାଇଁ ବ୍ୟକ୍ତିଗତ ଉଦ୍ୟମ ଚଳାଇଥିବାରୁ ଜେଲେନସ୍କି ହ୍ବାଇଟ୍‌ ହାଉସ୍‌ରେ ପହଞ୍ଚିବା ପରେ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ।

Govt
Leave A Reply

Your email address will not be published.