ପୁଟିନଙ୍କୁ ଟ୍ରମ୍ପଙ୍କ ଚେତାବନୀ: ୟୁକ୍ରେନ୍ ଶାନ୍ତି ଚୁକ୍ତିରେ ରାଜି ହୁଅ, ନଚେତ୍‌ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ

0

ୱାସିଂଟନ୍‌: ରୁଷକୁ ଯୁଦ୍ଧବିରତି ପାଇଁ ତାଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୫୦ ଦିନର ସମୟସୀମାକୁ ହ୍ରାସ କରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର କହିଛନ୍ତି ଯେ ଭ୍ଲାଦିମିର ପୁଟିନଙ୍କ ପାଖରେ ୟୁକ୍ରେନ୍ ଶାନ୍ତି ଚୁକ୍ତିରେ ରାଜି ହେବା ପାଇଁ କେବଳ ୧୦ କିମ୍ବା ୧୨ ଦିନ ସମୟ ରହିଛି। ନଚେତ୍ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। ୟୁକ୍ରେନ ଯୁଦ୍ଧକୁ ଅଧିକ ଦିନ ବଢ଼ାଇବା ପାଇଁ ପୁଟିନଙ୍କ ପ୍ରତି ତାଙ୍କର ହତାଶା ପ୍ରକାଶ କରି ଟ୍ରମ୍ପ କହିଛନ୍ତି ଯେ କ’ଣ ହେବାକୁ ଯାଉଛି ତାହା ଜାଣିଥିବାରୁ ଏତେ ସମୟ ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ।
ସ୍କଟଲ୍ୟାଣ୍ଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ସାକ୍ଷାତ କରିବା ପୂର୍ବରୁ ଟ୍ରମ୍ପ କହିଥିଲେ, “ମୁଁ ରାଷ୍ଟ୍ରପତି ପୁଟିନଙ୍କ ଉପରେ ନିରାଶ। ମୁଁ ତାଙ୍କୁ ଦେଇଥିବା ୫୦ ଦିନକୁ କମ କରିଦେବି କାରଣ ମୁଁ ଭାବୁଛି କ’ଣ ହେବାକୁ ଯାଉଛି ତାହାର ଉତ୍ତର ମୁଁ ପୂର୍ବରୁ ଜାଣିଛି”।
ବିବିସି ରିପୋର୍ଟ କରିଛି ଯେ ଟ୍ରମ୍ପ ରୁଷ ବିରୁଦ୍ଧରେ ଦ୍ୱିତୀୟ ଶୁଳ୍କ ପ୍ରତି ତାଙ୍କର ଚେତାବନୀକୁ ଦୋହରାଇ ଆଜି ରାତି କିମ୍ବା ଆସନ୍ତାକାଲି ଏହି ଦିଗରେ ଏକ ସରକାରୀ ଘୋଷଣା କରିପାରନ୍ତି। ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ବିଷୟରେ ପୁଟିନଙ୍କ ସହ କଥା ହେବାକୁ ସେ ଆଉ ଏତେ ଆଗ୍ରହୀ ନୁହଁନ୍ତି। ଦୁଇ ସପ୍ତାହ ପୂର୍ବେ, ଟ୍ରମ୍ପ ଧମକ ଦେଇଥିଲେ ଯେ “ଯଦି ଆଗାମୀ ୫୦ ଦିନ ମଧ୍ୟରେ ଏକ ଚୁକ୍ତି ନହୁଏ” ତେବେ ସେ ରୁଷର ବାଣିଜ୍ୟିକ ଅଂଶୀଦାରମାନଙ୍କ ଉପରେ “ଅତି କଠୋର ଶୁଳ୍କ” ଲାଗୁ କରିବେ।

Leave A Reply

Your email address will not be published.