ନୂଆଦିଲ୍ଲୀ: ଆଜିକାଲି ପାରିବାରିକ ସମ୍ପର୍କ ଦିନକୁ ଦିନ ଦୁର୍ବଳ ହେଉଥିବା ଦେଖାଦେଉଛି। ଅଧିକାଂଶ ଲୋକ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁନାହାନ୍ତି। ତେବେ ସ୍ବାମୀଙ୍କ ପରିବାରଠାରୁ ଅଲଗା ରହିବାକୁ ଇଚ୍ଛା ରଖିବା, ଶ୍ବଶୁର ଘରଠାରୁ ସମ୍ପର୍କ ଛିନ୍ନ କରିବାକୁ ସ୍ବାମୀଙ୍କ ଉପରେ ଚାପ ପକାଇବା ଅତ୍ୟାଚାର ଏବଂ ନିଷ୍ଠୁରତା ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ନିଜ ସାଥୀଙ୍କୁ ସର୍ବସାଧାରଣରେ ଅପଦସ୍ଥ କରିବା କିମ୍ବା ଗାଳିଗୁଲଜ କରିବା ମଧ୍ୟ ଏକ ମାନସିକ ନିର୍ଯାତନା ସହ ସମାନ । ସୁପ୍ରିମକୋର୍ଟଙ୍କ ରାୟର ଉଦାହରଣ ଦେଇ ଜଷ୍ଟିସ ଅନିଲ କ୍ଷେତ୍ରପାଲ ଏବଂ ହରିଷ ବୈଦନାଥନ ଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟ ସେପ୍ଟେମ୍ବର ୧୬ରେ ଏହି ରାୟ ଦେଇଥିଲେ। ମାନସିକ କ୍ରୁରତା ଆଧାରରେ ଅଲଗା ରହୁଥିବା ଏକ ଦମ୍ପତିଙ୍କ ବିବାହ ବିଚ୍ଛେଦ ପାଇଁ ପାରିବାରିକ କୋର୍ଟର ରାୟ ବିରୋଧରେ ମହିଳାଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ପତ୍ନୀ ଯୌଥ ପରିବାରରେ ରହିବାକୁ ଚାହୁଁନଥିଲେ ଏବଂ ତାଙ୍କ ସ୍ବାମୀଙ୍କୁ ବିଧବା ମା’ ଏବଂ ଛାଡ଼ପତ୍ର ହୋଇସାରିଥିବା ଭଉଣୀଙ୍କୁ ଛାଡ଼ି ପୈତୃକ ସମ୍ପତ୍ତି ସହ ଅଲଗା ରହିବାକୁ ଚାପ ପକାଉଥିଲେ। ଏଥିପାଇଁ ସେ ସ୍ବାମୀଙ୍କୁ ବାରମ୍ବାର ଧମକ ଦେଉଥିଲେ। ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବେ ବୋଲି କହୁଥିଲେ। ପତ୍ନୀଙ୍କ ଏହି ଅତ୍ୟାଚାରର ସ୍ବାମୀ ପ୍ରମାଣ ମଧ୍ୟ ଦେଇଛନ୍ତି।

Comments are closed.