ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ଅଧିବେଶନରେ ଶୁକ୍ରବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଖାଲି ଚେୟାର ସ୍ବାଗତ କରିଥିଲା। ନେତାନ୍ୟାହୁ ଜାତିସଂଘରେ ଉଦ୍ବୋଧନ ଦେବାପାଇଁ ପ୍ରବେଶ କରୁକରୁ ଅନେକ ସଂଖ୍ୟାରେ କୂଟନୀତିଜ୍ଞ ଅଧିବେଶନରୁ ବାହାରି ଯାଇଥିଲେ। ଆରବ ଏବଂ ମୁସଲମାନ ରାଷ୍ଟ୍ରର ସମସ୍ତ ପ୍ରତିନିଧି ଦଳ ତାଙ୍କ ଭାଷଣ ସମୟରେ ଅଧିବେଶନ ଛାଡ଼ି ଦେଇଥିବା ଜଣାପଡ଼ିଛି। ଏଥିସହ କିଛି ଆଫ୍ରିକୀୟ ଏବଂ ୟୁରୋପୀୟ ରାଷ୍ଟ୍ରର କୂଟନୀତିଜ୍ଞ ମଧ୍ୟ ନେତାନ୍ୟାହୁଙ୍କ ଭାଷଣ ଆରମ୍ଭରୁ ହଲ୍ ଛାଡ଼ି ଦେଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଅନ୍ତର୍ଜାତୀୟ ଅପରାଧ କୋର୍ଟରୁ ଯୁଦ୍ଧ ଅପରାଧ ସାମ୍ନା କରୁଥିବା ନେତାନ୍ୟାହୁ ଘୋଷଣା କରିଥିଲେ ଯେ ଇସ୍ରାଏଲ ଗାଜାରେ କାମ ଶେଷ କରିଦେବ ଏବଂ ଏହା ଯଥାସମ୍ଭବ ହେବ। ଭାଷଣ ପୂର୍ବରୁ ପାଲେଷ୍ଟିନୀୟଙ୍କୁ ନେତାନ୍ୟାହୁ ତାଙ୍କ ଟିପ୍ପଣୀ ଜଣାଇବାପାଇଁ ଗାଜା ଷ୍ଟ୍ରିପ୍ରେ ଲାଉଡସ୍ପିକର୍ ରଖିବାପାଇଁ ଇସ୍ରାଏଲ ସେନାକୁ ନିର୍ଦ୍ଦେଶ ଦେଇ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ସମଗ୍ର ବିଶ୍ବ ମଞ୍ଚରେ ଇସ୍ରାଏଲକୁ ଏକଘରିକିଆ କରିବା ବୃଦ୍ଧି ପାଇଥିବାବେଳେ ଏବେ ପୁଣିଥରେ ଜାତିସଂଘ ସାଧାରଣ ଅଧିବେଶନରେ ବି ଇସ୍ରାଏଲ ଏହି ସମାନ ସମସ୍ୟାର ସମ୍ମୁଖୀନ ହୋଇଛି।

Comments are closed.