ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ହଲଚଲ । ସବା ଶେଷରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ସର୍ବ ପ୍ରଥମେ ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ପରେ ଦ୍ୱିତୀୟରେ ରହିଛି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ । ତେବେ ଏହି ତାଲିକାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦୀୟ ହୋଇଥିବା ରାଜ୍ୟସଭା ସାଂସଦ ଓ ନେତାଙ୍କୁ ସାମିଲ କରାଯାଇନାହିଁ । ତାଲିକାରେ ପଶ୍ଚିମ ଓଡିଶାର ନେତାଙ୍କ ଦବଦବା ଦେଖିବାକୁ ମିଳିଛି ।
ଏହି ଷ୍ଟାର ପ୍ରଚାରକ ତାଲିକାରେ ୧୬ ଜଣ ବିଧାୟକ ରହିଥିବାବେଳେ, ବରିଷ୍ଠ ବିଜେଡି ନେତ। ଦେବୀପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଣବପ୍ରକାଶ ଦାସ ପ୍ରମୁଖ ମଧ୍ୟ ରହିଛନ୍ତି । ତାଲିକାର ୮ ନମ୍ବରରେ ରହିଛନ୍ତି ବିଜେଡିର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ତାରକା ପ୍ରଚାରକ ତାଲିକାର ୩ ନମ୍ବରରେ ଥିଲେ ପ୍ରଣବ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ଦୁଇ ନମ୍ବର ନେତା ଭାବେ ପ୍ରଣବ ଥିଲେ ଜଣାଶୁଣା ।
