ଦିମାପୁର : ମଣିପୁରର ସେନାପତି ଜିଲା ଅଧୀନ ଲାୟି ଗାଁରେ ଶନିବାର ସନ୍ଧ୍ୟାରେ ନାଗାଲାଣ୍ଡର ଏକ ସାଟେଲାଇଟ ଚାନେଲର ଜଣେ ସାମ୍ବାଦିକଙ୍କୁ ଗୁଳିମାଡ଼ ହୋଇଛି। ହର୍ନବିଲ ଟିଭିର ସାମ୍ବାଦିକ ଦୀପ ସାଇକିଆ ଏକ ପୁଷ୍ପ ପ୍ରଦର୍ଶନୀକୁ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା। ଆସାମର ଜୋରହାଟ ଜିଲାର ବାସିନ୍ଦା ଦୀପଙ୍କ ଗୋଡ଼ ଓ କାଖରେ ଗୁଳି ବାଜିଥିବାବେଳେ ତାଙ୍କୁ ତୁରନ୍ତ ସେନାପତି ଜିଲା ହସ୍ପିଟାଲ ଓ ପରେ ଅଧିକ ଚିକିତ୍ସା ପାଇଁ ନାଗାଲାଣ୍ଡ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣକାରୀଙ୍କୁ ଗ୍ରାମବାସୀ ଧରି ପୁଲିସର ଜିମା ଦେଇଥିଲେ। ହର୍ନବିଲ ଟିଭିର ସମ୍ପାଦକ ଜୁତୋନୋ ମେକରୋ ଏହି ଘଟଣାକୁ କଡ଼ା ନିନ୍ଦା କରି କହିଛନ୍ତି ଯେ, ଏକ ସାଂସ୍କୃତିକ କର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଗୁଳି କରିବା କେବଳ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆକ୍ରମଣ ନୁହେଁ, ବରଂ ପ୍ରେସ୍ ସ୍ବାଧୀନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆକ୍ରମଣ ଅଟେ। ନ୍ୟାୟ, ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବବୋଧ ଥିବା ସମାଜରେ ଗଣମାଧ୍ୟମ କର୍ମଚାରୀଙ୍କ ଉପରେ ଏପରି ଆକ୍ରମଣକୁ ଗ୍ରହଣ କରିପାରିବନି। ସେ ନାଗାଲାଣ୍ଡ ଏବଂ ମଣିପୁର ସରକାରଙ୍କୁ ଏହି ଗୁଳିକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ କହିଛନ୍ତି। ଆକ୍ରମଣକାରୀ ଏବଂ ତା’ର ସମସ୍ତ ସହଯୋଗୀଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ହର୍ନବିଲ ଟିଭି ପକ୍ଷରୁ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆଶୁ ଆରୋଗ୍ୟ କାମନା କରାଯାଇଛି।
