ଅନ୍ନ ହେଉଛି ସ୍ୱୟଂ ବ୍ରହ୍ମ । ଶ୍ରୀମତ୍ ଗୀତାରେ ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନକୁ କର୍ମଯୋଗରେ ସବିଶେଷ ଭାବରେ ଅନ୍ନ ବିଷୟରେ ବ୍ୟାଖ୍ୟାନ କରିଛନ୍ତି । ଓଡ଼ିଶାପରି କୃଷିପ୍ରଧାନ ରାଜ୍ୟରେ ନୂଆଁଖାଇ ବା ନବାନ୍ନର ଯଥେଷ୍ଟ ଗୁରୁତ୍ୱ ରହିଛି । କେବଳ ପଶ୍ଚିମ ଓଡ଼ିଶାରେ ଏହା ବିଶେଷ ଭାବେ ପାଳିତ ହେଉଥିଲେ ମଧ୍ୟ ସଂପ୍ରତି ଏହା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭକ୍ତିପୂତ ପରିବେଶରେ ଅନୁଷ୍ଠିତ ହେଉଛି । କେବଳ ସେତିକି ନୁହଁ ରାଜ୍ୟ ବାହାରେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ଏହାକୁ ଆନନ୍ଦର ସହ ପାଳନ କରୁଛନ୍ତି । ଶସ୍ୟପୂଜା ହେଉଛି ନବାନ୍ନର ମୂଳଭିତ୍ତି । ଅନ୍ନ ବା ଖାଦ୍ୟ ହେଉଛି ଈଶ୍ୱର । ଜୀବନର ପ୍ରତିଟି ପର୍ଯ୍ୟାୟରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଆର ଚିନ୍ତା ଚେତନାରେ ନବାନ୍ନ ବା ନୂଆଁଖାଇର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ତତୋଧିକ ଆଧ୍ୟାତ୍ମିକ ଭାବଧାରାରେ ପରିପୂର୍ଣ୍ଣ । ପଶ୍ଚିମ ଓଡ଼ିଶାରେ ସ୍ୱତନ୍ତ୍ର ରୀତିନୀତିରେ ପାଳିତ ହେଉଥିବା ନୂଆଁଖାଈରେ ସ୍ୱତନ୍ତ୍ରତା ରହିଛି । ନୂଆଁଖାଈ ସମଗ୍ର ପଶ୍ଚିମାଞ୍ଚଳ ପାଇଁ ମହାପାର୍ବଣ କହିଲେ ଅତ୍ୟୁକ୍ତି ହେବନାହିଁ । ନବାନ୍ନର ମୁହୂର୍ତ୍ତ ନିର୍ଣ୍ଣୟ କରିବାର ପଦ୍ଧତି ମଧ୍ୟ ପ୍ରାଚୀନ ଓ ପରମ୍ପରାରେ ପରିପୂର୍ଣ୍ଣ । ନବାନ୍ନର ଯଥେଷ୍ଟ ପୂର୍ବରୁ ନୂତନ ଧାନ ସଂଗ୍ରହ କରାଯାଇ ଏହାପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ । ପରିବାରର ବୋହୁମାନେ ସ୍ନାନକର୍ମ ଶେଷକରି ପୂଜାସ୍ଥାନ ଓ ଘରର ପ୍ରତିଟି କ୍ଷେତ୍ରକୁ ପରିଷ୍କାର କରିଥାନ୍ତି । ପରିବାରର ଆର୍ଥିକ ସ୍ଥିତିକୁ ଦେଖି ମହିଳାମାନେ ପିଠାପଣା, କ୍ଷୀରି ଖେଚୁଡ଼ି ସହ ପୂଜା ସାମଗ୍ରୀ ତିଆରି କରିଥାନ୍ତି । ନବାନ୍ନ ପ୍ରସ୍ତୁତିରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନବାନ୍ନ ପୂଜା ସମୟରେ ସର୍ବପ୍ରଥମେ ଘରର ଇଷ୍ଟଦେବ ବା ଦେବୀଙ୍କ ସହ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ । ପୂଜାଘରେ ସମସ୍ତେ ପ୍ରସାଦ ସେବନ କରି ନିଜ ଭିତରେ ପ୍ରେମର ଫଲ୍ଗୁକୁ ସମସ୍ତଙ୍କ ପାଖରେ ବିତରଣ ପାଇଁ ସଂକଳ୍ପବଦ୍ଧ ହୁଅନ୍ତି । ପ୍ରସାଦ ସେବନ ପରେ ଘରେ ଇଷ୍ଟଦେବୀଙ୍କୁ ଦର୍ଶନ କରି କନିଷ୍ଠମାନେ ପରିବାରର ବରିଷ୍ଠ ଓ ବୟୋଜ୍ୟେଷ୍ଠମାନଙ୍କୁ ଭୂମିଷ୍ଠ ପ୍ରଣାମ କରିଥାନ୍ତି । ଅଥର୍ବ ବେଦର ତଥ୍ୟ ଅନୁଯାୟୀ ଭାଇ ଭାଇ ଭିତରେ ଦେ୍ୱଷ ନରହୁ, ଭଉଣୀ ଭଉଣୀକୁ ଘୃଣା ନକରି ସ୍ନେହ କରୁ । ସମସ୍ତଙ୍କ ଭିତରେ ସଦ୍ଜ୍ଞାନ ଜାତ ହେଉ, ସମସ୍ତେ ନିର୍ମଳ ଚିତ୍ତ ହୋଇ ଜଳ ଓ ଅନ୍ନର ସାମଗ୍ରୀ ସମାନ ହେଉ । ନବାନ୍ନର ଏହି ମହାନ୍ ସାଂସ୍କୃତିକ ବାଣୀ ଅଥର୍ବବେଦର ଭାଷାରେ “ମା ଭ୍ରାତା ଭ୍ରାତରଂ ଦ୍ୱିଷନ୍, ମୋ ସ୍ୱସାରମୁତ ସ୍ୱସା ।’ ପାରିବାରିକ କ୍ଷେତ୍ରରେ ସୌହାର୍ଦ୍ଦ୍ୟ ସଂହତି ସ୍ଥାପନ ଓ ସାମାଜିକ କ୍ଷେତ୍ରରେ ମାତୃସମାଜର ମହନୀୟତା ପରିସ୍ପୁଟିତ ହୋଇଥାଏ । ନବାନ୍ନ ପ୍ରସ୍ତୁତି ଠାରୁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ଭୂମିକା ରହିଛି । ନବାନ୍ନ ପରମ୍ପରାରେ ନାରୀ ସମାଜର ସେବା, ଭଲ ପାଇବା ଓ ଆଦର୍ଶର ପରାକାଷ୍ଠା ସମସ୍ତଙ୍କ ପାଇଁ ଆଦର୍ଶଣୀୟ ହୋଇପାରିଥାଏ । ଅନ୍ନ ପ୍ରସ୍ତୁତି ଠାରୁ ସଂସାର ପରିଚାଳନାରେ ନାରୀର ଭୂମିକା ନିହିତ । ପରିବାରର ସମସ୍ତ ଦାୟିତ୍ୱକୁ ନିର୍ବାହ କରୁଥିବା ମହିଳାମାନେ ନବାନ୍ନରେ ନିଜର ଦାୟିତ୍ୱବୋଦ୍ଧତାକୁ ସୁଚାରୁରୂପେ ସମ୍ପାଦିତ କରିଥାନ୍ତି । ଘରର ବୟୋଜ୍ୟେଷ୍ଠଙ୍କ ଠାରୁ କନିଷ୍ଠ ପିଲାଙ୍କ ପାଇଁ ଘରର ମହିଳା ମାନଙ୍କ ଭୂମିକା ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ ।
ଡ଼ଃ. ଅରୁନ୍ଧତୀ ଦେବୀ
ମୋ : ୯୯୩୭୧୭୨୮୧୦

Comments are closed.