ଧର୍ମମାସ ଶ୍ରାବଣ

0

ପ୍ରାଚୀନ ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସର ପ୍ରତ୍ୟେକ ଦିନ ପବିତ୍ର । ବିଶେଷତଃ, ଶିବ ମନ୍ଦିରମାନଙ୍କରେ ସ୍ୱତନ୍ତ୍ର ପୂଜାପାଠ କରାଯାଏ । ଏହି ମାସର ସୋମବାରଗୁଡ଼ିକ ମହତ୍ୱପୂର୍ଣ୍ଣ ହୋଇଥାଏ । ଶ୍ରାବଣ ମାସର ଜଳାଭିଷେକକୁ ରୁଦ୍ରାଭିଷେକ କୁହାଯାଏ । ଏହି ମାସରେ ଶିବଙ୍କର ରୁଦ୍ର ଅବତାରଙ୍କୁ ପୂଜା କରିବା ବିଧି । ଯାହାଦ୍ୱାରା କାମନା ପୂରଣ ହୁଏ ଏବଂ ସମୃଦ୍ଧି ପ୍ରାପ୍ତ ହୁଏ । ନିଜର ସମସ୍ତ ପାପ ଧୋଇବା ଲାଗି ଏହି ମାସରେ ରୁଦ୍ରାଭିଷେକ କରାଯାଏ । ଦୁU ମହୁ, ବେଲପତ୍ର, ଦଧି, ଶର୍କରା, ଘୃତ ଓ ପୁଷ୍ପ ଅର୍ପଣ କରାଯାଏ । ଶ୍ରାବଣ ମାସର ଶନିବାରଗୁଡ଼ିକ ମଧ୍ୟ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଏହି ଶନିବାରଗୁଡ଼ିକରେ ଶନିଦେବଙ୍କୁ ପୂଜା କଲେ ଶନିଦଶାରୁ ମୁକ୍ତି ମିଳେ । ଭଗବାନ ଶିବଙ୍କୁ ବିଭିନ୍ନ କାରଣ ପାଇଁ ଶ୍ରାବଣ ମାସ ବେଶ ପ୍ରିୟ କୁହାଯାଏ । ଏହି ମାସରେ ମାତା ପାର୍ବତୀ ବର ଭାବେ ଶିବଙ୍କୁ ପାଇବା ପାଇଁ ବ୍ରତ ରଖିଥିଲେ ଓ ତପସ୍ୟା ବି କରିଥିଲେ । ସେଥିପାଇଁ ଏହି ମାସ ଭଗବାନ ଶିବଙ୍କର ଅତି ପ୍ରିୟ ।
ବୋଲବମ୍‌ କହିଲେ ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଶିବ ମନ୍ଦିର ଉଦ୍ଦେଶ୍ୟରେ କରାଯାଉଥିବା ଧାର୍ମିକ ପଦଯାତ୍ରାକୁ ବୁଝାଯାଏ । ଓଡ଼ିଶାର ବିଭିନ୍ନ ଶୈବ କ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବାଳୟରେ ଭକ୍ତମାନେ ଶିବଙ୍କ ମସ୍ତକରେ ଜଳ ଢ଼ାଳିଥାନ୍ତି । ବୋଲ୍‌ବମ୍‌ ଯାତ୍ରାରେ ଭାଗ ନେଉଥିବା ଭକ୍ତ ମାନଙ୍କୁ କାଉଡିଆ କୁହାଯାଏ । ଭକ୍ତମାନେ ଗେରୁଆବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ସେମାନେ କୌଣସି ନଦୀ ବା ଜଳାଶୟରୁ ଜଳନେଇ ମହାଦେବ ମନ୍ଦିରର ଶିବଲିଙ୍ଗ ଉପରେ ଜଳ ଢ଼ାଳନ୍ତି । ବିଶେଷକରି ଶ୍ରାବଣ ମାସର ପ୍ରତି ସୋମବାରରେ କାଉଡିଆଙ୍କ ଯାତ୍ରା ନର୍ମଦାରୁ ମହାକାଳ ପର୍ଯ୍ୟନ୍ତ, ବୈଦ୍ୟନାଥ ଧାମ, ଗୋଦବରୀରୁ ତ୍ରୈମ୍ବକ, ଗଙ୍ଗାରୁ କେଦାରେଶ୍ୱର ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥାନ୍ତି ।
ବିକ୍ରମ କେଶରୀ ବିଶ୍ୱାଳ
ମୋ : ୯୯୩୮୫୩୬୦୭୬

Leave A Reply

Your email address will not be published.