ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସ ଚଳିତ ଆଇପିଏଲ୍ରେ ଦ୍ବିତୀୟ ବିଜୟ ପାଇଥିଲା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ମ୍ୟାଚ୍ରେ ପରାଜିତ ହୋଇଛି। ମଙ୍ଗଳବାର ଅରୁଣ ଜେଟଲି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ୬ ୱିକେଟ୍ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୮ ୱିକେଟ୍ ବିନିମୟରେ ୧୬୨ ରନ୍ ସଂଗ୍ରହ କରିଥିଲା ବେଳେ ଗୁଜରାଟ ୧୮.୧ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ଆରମ୍ଭରୁ ରନ୍ ପାଇଁ ସଂଘର୍ଷ କରୁଥିଲା। ତୃତୀୟ ଓଭରରେ ପୃଥ୍ବୀ ସ’ ଓ ପଞ୍ଚମ ଓଭରରେ ମିଚେଲ ମାର୍ଶ ମହମ୍ମଦ ସାମିଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ପାୱାରପ୍ଲେ ମଧ୍ୟରେ କେବଳ ୫୨ ରନ୍ ସଂଗ୍ରହ ହୋଇଥିଲା ବେଳେ ଦିଲ୍ଲୀ ୨ ୱିକେଟ୍ ହରାଇସାରିଥିଲା। ୱାର୍ଣ୍ଣର ଭଲ ଖେଳୁଥିଲେ ବି ୩୭ ରନ୍ କରି ନିଜ ୱିକେଟ୍ ହରାଇଥିଲେ। ୱାର୍ଣ୍ଣର ଓ ରିଲି ରୁସୋଙ୍କୁ ଆଉଟ୍ କରି ଜୋସେଫ ହ୍ୟାଟ୍ରିକ ୱିକେଟ୍ ସୁଯୋଗ ପାଇଥିଲେ। କିନ୍ତୁ ତାହା ହୋଇପାରିନଥିଲା। ସର୍ଫରାଜ ଖାନ୍ ମଧ୍ୟ ରକ୍ଷଣାତ୍ମକ ଖେଳିବାକୁ ଯାଇ ୩୦ ରନ୍ରେ ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ ଏକମାତ୍ର ସଫଳ ବ୍ୟାଟର ଭାବେ ୨୨ ବଲ୍ରୁ ୩୬ ରନ୍ ସଂଗ୍ରହ କରି ଦଳକୁ ୧୬୦ ରନ୍ ପାଖରେ ପହଞ୍ଚାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଗୁଜୁରାଟ ମଧ୍ୟ ଆରମ୍ଭରୁ ବିପର୍ଯ୍ୟୟରେ ପଡ଼ିଥିଲା। ପ୍ରଥମ ମ୍ୟାଚ୍ ଖେଳୁଥିବା ଏନରଚିତ ନର୍ଖିଆ ଦୁଇ ପ୍ରାରମ୍ଭିକ ବ୍ୟାଟର ଋଦ୍ଧିମାନ ଶାହ ଓ ଶୁବମନ ଗିଲ୍ଙ୍କୁ ଆଉଟ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଶୀଘ୍ର ଆଉଟ୍ ହୋଇଯିବାରୁ ସାଇ ସୁଦର୍ଶନ ଚତୁର୍ଥ ୱିକେଟ୍ରେ ବିଜୟ ଶଙ୍କର ଓ ପଞ୍ଚମ ୱିକେଟ୍ରେ ଡେଭିଡ୍ ମିଲରଙ୍କ ସହ ଯଥାକ୍ରମେ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି କରି ଦଳକୁ ଜିତାଇଥିଲେ। ଅର୍ଦ୍ଧଶତକୀୟ ପାଳି ପାଇଁ ସୁଦର୍ଶନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।

Comments are closed.