ଦିଲ୍ଲୀରେ ୧ କେଜି ହେରୋଇନ ଜବତ, ୩ ଗିରଫ

0

ନୂଆଦିଲ୍ଲୀ: ଦିଲ୍ଲୀ‌ର ବୁରାରିଠାରେ ପୁଲିସ ୧ କେଜି ଓଜନର ହେରୋଇନ ଜବତ କରିବା ସହିତ ୨ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ହେରୋଇନର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ୨୯ ଅଗଷ୍ଟରେ ଦୁଇଟି ପୃଥକ ସ୍ଥାନରେ ଚଢ଼ଉ ବେଳେ ୧.୦୧୨ କେଜି ଓଜନର ହେରୋଇନ ଜବତ ହୋଇଥିଲା। ଭାଲ୍ସୱା ଡେରୀ ଅଞ୍ଚଳରେ ଜଣେ ୨୩-ବର୍ଷୀୟା ମହିଳା ଅଫସାନାଙ୍କୁ ପ୍ରଥମେ ଗିରଫ କରାଯିବା ପରେ ତା’ ନିକଟରୁ ୩୦୦ ଗ୍ରାମ ହେରୋଇନ ଜବତ ହୋଇଥିଲା ବୋଲି ପୁଲିସ କହିଛି। ଜେରା ବେଳେ ସେ ଅନ୍ୟମାନଙ୍କ ନାଁ କହିଥିଲା। ପୁଲିସ ବୁରାରି ଅଞ୍ଚଳରେ ଚଢ଼ଉ କରି ନରେନ୍ଦର (୩୭) ଏବଂ ସ୍ତ୍ରୀ ‌ଜ୍ୟୋତି (୩୫)କୁ ଗିରଫ କରିଥିଲା। ବୁରାରିରେ ଚଢ଼ଉ ବ‌େଳେ ୭୧୨ ଗ୍ରାମ ଓଜନର ହେରୋଇନ ଜବତ ହୋଇଥିଲା। ଏହାକୁ ସେମାନେ ଘରର ବିଭିନ୍ନ ସ୍ଥାନରେ ଳୁଚେଇ ରଖିଥିଲେ। ଗିରଫ ବ୍ୟକ୍ତିମାନଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ନଥିବା ପୁଲିସ କହିଛି। ସେମାନେ କେଉଁଠାରୁ ଡ୍ରଗ ଆଣିଥିଲେ ପୁଲିସ ସେ ନେଇ ତଦନ୍ତ ଜାରି ରଖିଛି।

Govt
Leave A Reply

Your email address will not be published.