ତ୍ରିପୁରା ଉଗ୍ରବାଦୀ ସଂଗଠନ ଏନ୍‌ଏଲ୍‌ଏଫ୍‌ସି ଓ ଏଟିଟିଏଫ୍‌ ସହ ସରକାରଙ୍କ ତ୍ରିପାକ୍ଷିକ ଚୁକ୍ତି

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ଏକଦା ଆତଙ୍କ ସୃଷ୍ଟି କରିଥିବା ବେଆଇନ ଘୋଷିତ ନ୍ୟାସନାଲ୍‌ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଏନ୍‌ଏଲ୍‌ଏଫ୍‌ଟି) ଓ ଅଲ୍‌ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ୍‌) ସହିତ କେନ୍ଦ୍ର ସରକାର ଓ ତ୍ରିପୁରା ରାଜ୍ୟ ସରକାର ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା, ତିପ୍ରା ମୋଥା ମୁଖ୍ୟ ପ୍ରଦ୍ୟୋତ ଦେବ ବର୍ମାଙ୍କ ସମେତ ଏନ୍‌ଏଲ୍‌ଏଫ୍‌ଟି, ଏଟିଟିଏଫ୍‌ର ପ୍ରତିନିଧିମ‌ାନେ ଉପସ୍ଥିତ ଥିଲେ। ତ୍ରିପାକ୍ଷିକ ଚୁକ୍ତି ପରେ ଗୃହମନ୍ତ୍ରୀ ଶ୍ରୀ ଶାହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉଭୟ ଉଗ୍ରବାଦୀ ସଂଗଠନର ୩୨୮ ସଦସ୍ୟ ଅସ୍ତ୍ରତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ନିମନ୍ତେ ୨୫୦ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଘୋଷଣା କରାଯାଇଛି। ତ୍ରିପୁରାରେ ୩୫ ବର୍ଷ ଧରି ଚାଲିଥିବା ଆତଙ୍କବାଦ ଅବସାନ ଘଟିଛି। ଏହି ଚୁକ୍ତି ଏହାର ଏକ ମାଇଲଖୁଣ୍ଟ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଉତ୍ତର-ପୂର୍ବ ରାଜ୍ୟର ବିକାଶ ନିମନ୍ତେ ଅଦ୍ୟାବଧି ବିଭିନ୍ନ ଉଗ୍ରବାଦୀ ସଂଗଠନ ସହ ୧୨ଟି ଶାନ୍ତିଚୁକ୍ତି କରାଯାଇଛି।

Govt

Comments are closed.