ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ ନିଲମ୍ବିତ। କାର୍ଯ୍ୟରେ ଅବହେଳା ପାଇଁ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନାଙ୍କୁ ସସ୍ପେଣ୍ଡ କରିଛନ୍ତି ଭଦ୍ରକ ଏସପି । ତଦନ୍ତ ପାଇଁ ନିଜେ ନଯାଇ ଜଣେ ନକଲି ପୋଲିସଙ୍କୁ ପଠାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରସିକବାଦ ଗାଁରେ ପାରିବାରିକ କଳହକୁ ନେଇ ଦୁଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ କାର୍ତ୍ତିକ ଜେନା ଙ୍କୁ ଦାୟିତ୍ଵ ଦିଆଯାଇଥିଲା । ତେବେ ପୋଲିସ ଏସଆଇ ନିଜେ ନଯାଇ ଅଭିଯୋଗକାରିଣୀଙ୍କୁ ଏକ ମୋବାଇଲ୍ ନମ୍ବର୍ whatsapp ରେ ପଠାଇଥିଲେ । ଉକ୍ତ ମୋବାଇଲ୍ ନମ୍ୱର୍ ରେ ଯୋଗାଯୋଗ ପରେ ଜନୈକ ଯୁବକ ନିଜକୁ ପଣ୍ଡା ବାବୁ ବୋଲି ପରିଚୟ ଦେବା ସହ ସେ ଜଣେ ଗୁଇନ୍ଦା ଅଧିକାରୀ ବୋଲି କହି ତଦନ୍ତ କରିଥିଲେ । ଖାଲି ସେତିକି ନୁହେଁ ତଦନ୍ତ ସମୟରେ ସେ ଅଭିଯୋଗକାରିଣୀଙ୍କ ଠାରୁ କିଛି ଟଙ୍କା ମଧ୍ୟ ଦାବି କରିଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହେବାରୁ ନକଲି ପୋଲିସ ପରିଚୟ ଦେଇଥିବା ଯୁବକ ଓ ବାଇକ ଅଟକ ରଖି ପୋଲିସକୁ ଜଣାଇଥିଲେ । ପୋଲିସ ଯାଇ ଚିହ୍ନଟ କରିଥିଲା ଯେ ଯୁବକ ଜଣକ ଅସଲି ପୋଲିସ ନୁହନ୍ତି। ତେଣୁ ଗ୍ରାମାଞ୍ଚଳ ପୋଲିସ ସେହି ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଯୁବକ ଜଣଙ୍କୁ ପୋଲିସ ସବ ଇନ୍ସପେକ୍ଟର କାର୍ତ୍ତିକ ଜେନା ପଠାଇ ଥିଲେ ବୋଲି ଭଦ୍ରକ ଏସପି ପ୍ରମାଣ ପାଇଲା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାଯାଇଛି ।
