ଝାଡ଼ଖଣ୍ଡ ଟ୍ରେନ୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ, ୧୮ ବଗି ଲାଇନ୍‌ଚ୍ୟୁତ

ରାଞ୍ଚି : ଆଜି ଝାଡ଼ଖଣ୍ଡରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ମୁମ୍ବାଇ ଯାଉଥିବା ହାଓଡ଼ା-ସିଏସଏମଟି ‌ଏକ୍ସପ୍ରେସ୍‌ ଟ୍ରେନ୍ ଆଜି ଏକ ମାଲବାହୀ ଟ୍ରେନ୍‌ ସହ ଧକ୍କା ହୋଇଥିଲା। ଫଳରେ ଟ୍ରେନ୍‌ର ୧୮ଟି ବଗି ଲାଇନଚ୍ୟୁତ ହୋଇଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳବାଇ ପକ୍ଷରୁ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଚକ୍ରଧରପୁର ନିକଟ‌ୋର ବାରା ବାମ୍ବୂ ଗ୍ରାମରେ ଆ‌ଜି ଭୋର ପ୍ରାୟ ୩.୪୫ ସମୟରେ ଦୁର୍ଘଟଣା ହୋଇଛି। ଖବର ପାଇ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଇତି ମଧ୍ୟରେ ଦୁର୍ଘଟଣା ଯୋଗୁଁ ୩ଟି ଟ୍ରେନ୍‌ ବାତିଲ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଦୁର୍ଘଟଣାରେ ପ୍ରାଣ ହାରିଥିବା ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Comments are closed.