ଜେଡିଏସ୍ ନେତା ପ୍ରଜ୍ଜ୍ବଳ ରେବାନ୍ନାଙ୍କୁ ଆଜୀବନ କାରାଦଣ୍ଡ

0

ବେଙ୍ଗାଳୁରୁ: ଦୁଷ୍କର୍ମ ମାମଲାରେ ଜେଡିଏସ୍ ନେତା ତଥା ପୂର୍ବତନ ଲୋକସଭା ସାଂସଦ ପ୍ରଜ୍ୱଳ ରେବାନ୍ନାଙ୍କୁ ଆଜୀବନ କାରାଦଣ୍ଡାଦେଶ। ଦଣ୍ଡାଦେଶ ଶୁଣାଇଲେ, ବେଙ୍ଗାଳୁରୁର ସ୍ୱତନ୍ତ୍ର କୋର୍ଟ। ଏହା ସହ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି କୋର୍ଟ । ଏଥିସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ହାସନ ଜିଲ୍ଲାର ହୋଲେନାରସିପୁରାର ଏକ ଫାର୍ମହାଉସରେ ଘରୋଇ ଚାକରାଣୀଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲା ।

ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସୁପ୍ରିମୋ ଏଚଡି ଦେବେଗୌଡ଼ାଙ୍କ ନାତି। ଗତ ଶୁକ୍ରବାର ଏହି ମାମଲାରେ କୋର୍ଟ ପ୍ରଜ୍ଜ୍ବଳଙ୍କୁ ଦୋଷୀ ସାବ୍ୟକ୍ତ କରି ରାୟ ସଂରକ୍ଷିତ ରଖିଥିଲେ। ଦୁଷ୍କର୍ମ, ଯୌନ ନିର୍ଯାତନା ଏବଂ ପ୍ରମାଣ ନଷ୍ଟ କରିବା ଆଦିରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ପ୍ରଜ୍ୱଳଙ୍କ ବିରୋଧରେ ତାଙ୍କ ଫାର୍ମହାଉସରେ ଜଣେ ପୂର୍ବତନ ଘରୋଇ ସହାୟକଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଥିଲା। ପୀଡ଼ିତା ୨୮ ଏପ୍ରିଲ୍ ୨୦୨୪ ରେ ହାସନର ହୋଲେନାରସିପୁରା ଟାଉନ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଦୁଷ୍କର୍ମ ଅଭିଯୋଗ ହେବା ପରେ ସେ ୨୦୨୪ରେ ଜର୍ମାନୀକୁ ଫେରାର ହୋଇଯାଇଥିଲେ। ମେ ୩୧ରେ ସେ ଭାରତ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଏସଆଇଟି ପକ୍ଷରୁ ୧୮୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରାଯାଇଥିଲା। ଶୁଣାଣି ସମୟରେ ୨୬ ଜଣ ସାକ୍ଷୀଙ୍କୁ ବୟାନଙ୍କୁ ଭିତ୍ତି କରି କୋର୍ଟ ପ୍ରଜ୍ଜ୍ବଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କ ବିରୋଧରେ ଆହୁରି ୩ଟି ମାମଲା ଏବେ ବି ବିଚାରାଧୀନ ରହିଛି।

ରାୟ ଶୁଣାଇବା ପରେ ଜଜଙ୍କ ସାମ୍ନାରେ କାନ୍ଦି ପକାଇଥିଲେ ରେବନ୍ନ। । ସେ କହିଥିଲେ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ “ଉଦ୍ଦେଶ୍ୟପୂର୍ବକ” । ତାଙ୍କର ରାଜନୈତିକ କ୍ୟାରିଅର ଦ୍ରୁତଗତିରେ ଆଗକୁ ବଢୁଥିବାରୁ,ସେ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ।

Leave A Reply

Your email address will not be published.