ଅନେକ ଏଭଳି ଜୀବାଣୁ ଅଛନ୍ତି ଯାହା ଆମ ଅଜାଣତରେ ପିଇବା ପାଣି ଦ୍ବାରା ଆମ ଶରୀରକୁ ଯାଇଥାଏ । ଏହି ଜୀବାଣୁଙ୍କ କାରଣରୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଅନେକ ଏଭଳି ବ୍ୟକ୍ତି ଥାଆନ୍ତି ଯେଉଁମାନେ ଏନେଇ ସଚେତନ ନଥାନ୍ତି ଯେଉଁ କାରଣରୁ ନାନା ସମସ୍ୟା ସେମାନେ ଭୋଗି ଥାଆନ୍ତି ।
ଜଳବାହିତ ରୋଗ କହିଲେ ଯେଉଁ ସ୍ବାସ୍ଥ୍ୟ ସମସ୍ୟା ବ୍ୟାକ୍ଟେରିଆ, ଭାଇରସ ତଥା ପାରାସାଇଟ୍ ଦ୍ବାରା ବ୍ୟାପିଥାଏ । ଏହି ସମସ୍ତ ଜୀବାଣୁ ବିଶେଷଭାବେ ପାଣି ସାହାଯ୍ୟରେ ଆମ ଶରୀରକୁ ଯାଇଥାଏ । ଯେତେବେଳେ ଆମେ ଦୂଷିତ ଜଳ ପିଇଥାଉ ସେତେବେଳେ ଏହା ଆମ ଶରୀରକୁ ଯାଇଥାଏ ।
ଭାରତରେ ଦେଖିବାକୁ ମିଳୁଥିବା ପ୍ରମୁଖ ଜଳବାହିତ ରୋଗ
କଲେରା
ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଦ୍ବାରା ବ୍ୟାପୁଥିବା ଏହା ହେଉଛି ଏକ ସ୍ବାସ୍ଥ୍ୟ ସମସ୍ୟା । ଏହା ବିଶେଷଭାବେ ପାଣିଦ୍ବାରା ଆମ ଶରୀରକୁ ଯାଇଥାଏ । ଏହା ହେବାଦ୍ବାରା ରୋଗୀର ଅତ୍ୟଧୀକ ଝାଡା, ବାନ୍ତି, ପେଟରେ ଯନ୍ତ୍ରଣା ଆଦି ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ।
ଟାଇଫଡ
ଟାଇଫଡ ଜ୍ବର ସାଲମୋନେଲା ଟାଇଫି ବ୍ୟାକ୍ଟେରିଆ କାରଣରୁ ଏହି ରୋଗ ହୋଇଥାଏ । ଏହି ଜ୍ବର ହେଲେ ଦୁର୍ବଳତା ସହିତ ଅତ୍ୟଧିକ ତାପମାତ୍ରା, ପେଟରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳିଥାଏ ।
ହେପାଟାଇଟିସ ଏ ଏବଂ ଇ
ବିଶେଷଭାବେ ଏହି ସମସ୍ୟା ଦୂଷିତ ପାଣି ଖାଦ୍ୟ କାରଣରୁ ବ୍ୟାପିଥାଏ । ତେଣୁ ପ୍ରତି ସମୟରେ ବିଶୁଦ୍ଧ ପାଣି ପିଅନ୍ତୁ । ହେପାଟାଇଟିସ ବିଶେଷଭାବେ ଆମର ଲିଭରକୁ ପ୍ରଭାବିତ କରିଥାଏ ।
ଡାଇରିଆ
ପ୍ରଦୂଷିତ ଜଳ ପିଇବା ଦ୍ବାରା ବ୍ୟାପୁଥିବା ଆଉ ଏକ ସମସ୍ୟା ହେଲା ଡାଇରିଆ । ଏହା ବିଭିନ୍ନ ଜୀବାଣୁ ଶିଗେଲା, ଇ କୋଲି ଓ ଆମୋଇବା ଭଳିଙ୍କ କାରଣରୁ ବ୍ୟାପିଥାଏ । ଏହି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାହେଲେ ଦୁର୍ବଳ ଲାଗିବା, ଏକାଧିକ ଥର ଝାଡା, ମୁଣ୍ଡ ବୁଲାଇବା, ପେଟରେ ଯନ୍ତ୍ରଣା ଭଳି ସମସ୍ୟା ଦେଖିବାକୁ ମିଳିଥାଏ ।
କାରଣ
ଜଳବାହିତ ରୋଗର ବିଶେଷ କାରଣ ହୋଇଥାଏ ପ୍ରଦୂଷିତ ପାନୀୟଜଳ । ବିଷାକ୍ତ ଜଳ ଓ ଖାଦ୍ୟ ଖାଇବା ଦ୍ବାରା ଏହି ସମସ୍ୟା ଦେଖିବାକୁ ମିଳିଥାଏ । ସେହିଭଳି ଆମେ ରୋଷେଇ କରୁଥିବା କିମ୍ବା ପାଣି ରଖୁଥିବା ସ୍ଥାନର ଆଖପାଖ ଯଦି ଅପରିଷ୍କାର ହୁଏ ତେବେ ମଧ୍ୟ ଏହି ସମସ୍ତ ରୋଗ ହେବାର ଆଶଙ୍କା ରହିଛି । ସେହିଭଳି ବନ୍ୟା କିମ୍ବା ବାତ୍ୟା ସମୟରେ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ । ତେଣୁ ବର୍ଷାଦିନେ କିମ୍ବା ବନ୍ୟା ଆସିଥିବା ସମୟରେ ପିଇବା ପାଣିର ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ । ତେଣୁ ସବୁବେଳେ ପାନୀୟ ଜଳର ଧ୍ୟାନ ରଖନ୍ତୁ । କିଭଳି ପରିଷ୍କାର ପାଣି ପିଇବେ ସେଥିପାଇଁ ଚେଷ୍ଟିତ ହୁଅନ୍ତୁ ।
