ଜଳୁଛି ଉତ୍ତର ଭାରତ, ଦିଲ୍ଲୀରେ ସାଂଘାତିକ ସ୍ଥିତି

ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ୁଛି, ୩ ଦିନରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ ଅତି ସାଂଘାତିକ ସ୍ଥିତି ଉପୁଜିଛି। ଗତ କିଛି ଦିନ ଧରି ଦିଲ୍ଲୀରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀରେ ଏବେ ୫୧ ଡିଗ୍ରି ସେଲସିୟସ ତାପମାତ୍ରା ହେବାଭଳି ଅନୁଭବ ହେଉଛି। ଅସହ୍ୟ ଗରମ ଯୋଗୁଁ ଦିଲ୍ଲୀ ଏବଂ ସମଗ୍ର ଉତ୍ତର ଭାରତରେ ଅଂଶୁଘାତ ମାମଲା ବଢ଼ିଛି। ଅଂଶୁଘାତ ଯୋଗୁଁ ଦିଲ୍ଲୀ ଏବଂ ନଏଡ଼ାରେ ଗତ ୩ ଦିନ ମଧ୍ୟରେ ଅସହ୍ୟ ଗରମଜନିତ କାରଣରୁ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଅଂଶୁଘାତଜନିତ ଅସୁସ୍ଥତା ପାଇଁ ଗତ କିଛି ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ହସ୍ପିଟାଲଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଅଂଶୁଘାତର ଶିକାର ହୋଇଥିବା ରୋଗୀଙ୍କୁ ପ୍ରାଥମିକତା ଦେଇ ଚିକିତ୍ସା କରିବାପାଇଁ ନିର୍ଦ୍ଦେଶାବଳିରେ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଦିଲ୍ଲୀରେ ବିଭିନ୍ନ ସରକାରୀ ହସ୍ପିଟାଲ୍ ବୁଲି କିଭଳି ଭାବେ ଚିକିତ୍ସା ଚାଲିଛି ଏବଂ ରୋଗୀଙ୍କୁ କିଭଳି ସୁବିଧା ମିଳୁଛି ତା’ର ଏକ ସମୀକ୍ଷା କରିଛନ୍ତି। ଅଂଶୁଘାତ ପାଇଁ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଳୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ଅଂଶୁଘାତ କବଳରୁ ଲୋକ କିଭଳି ନିଜକୁ ସୁରକ୍ଷା ଦେବେ ସେନେଇ କିଛି ନିର୍ଦ୍ଦେଶାବଳି ଜାରି କରିଛନ୍ତି।
ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ମେ’ ୨୭ ତାରିଖ ପରଠାରୁ ଅଂଶୁଘାତ ଜନିତ କାରଣ ପାଇଁ ୪୫ ରୋଗୀ ଭର୍ତ୍ତି ହୋଇଛନ୍ତି। ମେ’ ୨୭ ପରଠାରୁ ଏହି ହସ୍ପିଟାଲରେ ଅଂଶୁଘାତ ଜନିତ କାରଣ ପାଇଁ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ୨ ଦିନ ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଚଳିତ ଗ୍ରୀଷ୍ମ ଋତୁରେ ସଫଦରଜଙ୍ଗ ହସ୍ପିଟାଲରେ ମଧ୍ୟ ୯ ଜଣଙ୍କର ମୃତ୍ୟୁ ହେଲାଣି। ଆରଏମଏଲ ହସ୍ପିଟାଲର ମେଡିକାଲ ସୁପରିନଟେଣ୍ଡେଣ୍ଟ୍ ଡ. ଅଜୟ ଶୁକ୍ଳା ଚେତାବନୀ ଦେଇ କହିଛନ୍ତି ଯେ ଚଳିତବର୍ଷ ଅଂଶୁଘାତ ଯୋଗୁଁ ମୃତ୍ୟୁସଂଖ୍ୟା ୬୦-୭୦ ପ୍ରତିଶତ ଅଧିକ ରହିଛି। ରୋଗୀମାନେ ବିଳମ୍ବରେ ହସ୍ପିଟାଲରେ ପହଞ୍ଚିବାରୁ ଗୋଟିଏ ପରେ ଗୋଟିଏ ଅଙ୍ଗ ଅଚଳ ହୋଇଯାଉଛି। ଅଂଶୁଘାତ ନେଇ ଲୋକଙ୍କ ମଧ୍ୟରେ ଏବେ ବି ସଚେନତନା ନାହିଁ।

Govt

Comments are closed.