Edited by Papu Mohanty
ଭୁବନେଶ୍ୱର : ଦୀର୍ଘ ୨ମାସ ରାଜ୍ୟରେ ମଦ କାରବାର ବନ୍ଦ ରହିଥିଲା । ଯାହା କାରବାର ହେଉଥିଲା, ତାହା ଚୋରାରେ । ମାଫିଆ ଶୋଷି ଚାଲିଥିଲେ ମଦୁଆଙ୍କୁ । ହେଲେ ସରକାର ବିଧିବଦ୍ଧ ନିଷ୍ପତ୍ତି କରିବା ପରେ ଅନ୍ଲାଇନରେ ଗ୍ରାହକଙ୍କୁ ମଦ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଗଲା । ଆଜିଠୁ ଅନ୍ଲାଇନ ସେବା ଗ୍ରାହକଙ୍କୁ ଦିଆଯିବା ପରିବର୍ତ୍ତେ କଟକ-ଭୁବନେଶ୍ୱରରେ ସକାଳ ୭ଟାରେ ବହୁ ମଦ ଦୋକାନ ଖୋଲିଗଲା । ଏହା ଦେଖି ଗ୍ରାହକ ସେଠାରେ ପହଞ୍ଚି ମଦ ପାଇଁ ଗହଳି କଲେ । ପେଟି ପେଟି ମଦ ବାଇକ୍, ସ୍କୁଟର ଓ କାର୍ରେ ଲୋକେ ବୁହାଇବାର ଦୃଶ୍ୟ ଚକିତ କରିଥିଲା । ଏପରିକି ବହୁ ମଦ କାଉଣ୍ଟର ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଲା । ମଦ କିଣିବା ନିଶାରେ ଲୋକେ ଏଭଳି ଗହଳି କଲେ ଯେ, ସେମାନଙ୍କୁ ହଟାଇବା ପାଇଁ ମଦ ଦୋକାନ ସାମ୍ନାରେ ପୋଲିସ ଓ ଫୋର୍ସ ପହଞ୍ଚିଥିଲେ ମଧ୍ୟ କାରବାର ଅଧାରୁ ଠପ୍ ହୋଇଗଲା । ଭୁବନେଶ୍ୱର ୪ ନମ୍ବର ଓ ସିଆର୍ପି ପ୍ରଭୃତି ସ୍ଥାନରେ ବିଶୃଙ୍ଖଳିତ ଗ୍ରାହକଙ୍କୁ ଘଉଡାଇବା ପାଇଁ ପୋଲିସ ମୃଦୁ ଲାଠିଚାଳନା ମଧ୍ୟ କରିଥିଲା ପୋଲିସ । ଫଳରେ ଖୋଲୁ ଖୋଲୁ ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ଦୋକାନୀ ।
ପରିସ୍ଥିତି ଅଣାୟତ୍ତ ଦେଖି ଘନ ଘନ ଦୁଇଥର ବୈଠକ ବସିଲା । ବୈଠକରେ ଅବକାରୀ, ପୋଲିସ ଓ ବ୍ୟବସାୟୀ ସଂଘ କର୍ମକର୍ତ୍ତା ଉପସ୍ଥିତ ରହିଲେ । ବ୍ୟବସାୟୀ ସଂଘ ପକ୍ଷରୁ ଜମାଟୋ ଭଳି ସଂସ୍ଥାକୁ ତୀବ୍ର ବିରୋଧ କରାଗଲା । ସେମାନଙ୍କ କହିବା କଥା ଅନ୍ଲାଇନ୍ ହେଉ କିମ୍ବା ଅଫ୍ଲାଇନ୍ ହେଉ ସେମାନେ ଗ୍ରାହକଙ୍କ ପାଖେ ପହଞ୍ଚାଇବେ ମଦ । ଶେଷକୁ ନିଷ୍ପତ୍ତି ହେଲା ଶୃଙ୍ଖଳିତ ଭାବେ ପୂର୍ବାହ୍ନରେ ଗ୍ରାହକ ମଦ ନେବା ପାଇଁ ବୁକ୍ କରିବେ । ଏହା ପରେ ସେମାନେ ଗ୍ରାହକଙ୍କୁ ନିୟମ ଅନୁଯାୟୀ ମଦ ଯୋଗାଇବେ । କେବଳ ଭୁବନେଶ୍ୱର ନୁହେଁ କଟକରେ ମଧ୍ୟ ଅନୁରୂପ ଅବସ୍ଥା ହୋଇଥିଲା । ଦୁଇ ସହର ପାଇଁ ସାମାଜିକ ଦୂରତ୍ୱ, ମାକ୍ସ ଓ ଅନ୍ୟାନ୍ୟ କଟକଣାକୁ ଦୃଢ ଭାବେ ଲାଗୁ କରାଯିବା ସହ ଗ୍ରାହକଙ୍କୁ ମଦ ଯୋଗାଇ ଦିଆଯିବ । ଭୁବନେଶ୍ୱର ସିଆର୍ପି, ଡମଣା, ଆଚାର୍ଯ୍ୟ ବିହାର, ପଟିଆ, ବାପୁଜୀ ନଗର, ଖାରବେଳ ନଗର, ୪ ନମ୍ବର, ଭିଏସ୍ଏସ୍ ନଗର କଟକ ରୋଡ୍ ପ୍ରଭୃତି ମଦ ଦୋକାନ ସାମ୍ନାରେ ଗ୍ରାହକ ମଦ କିଣିବା ପାଇଁ ଏଭଳି ହାଉଯାଉ ହେଲେ ଯେ, ପୋଲିସ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍ ହୋଇଥିଲା । ସୋମବାର ଯାହା ଘଟିଲା ବିଭାଗୀୟ ସମନ୍ୱୟ ଅଭାବରୁ ହେଲା ବୋଲି ମତ ଦେଇଛନ୍ତି ଗ୍ରାହକ ।

Comments are closed.