ଖୋଲିଲା ସୀମାନ୍ତ ଜିଲ୍ଲାର ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତିକୁ ଲକ୍ଷ୍ୟ କରି ପାକିସ୍ତାନ ସୀମା ସଂଲଗ୍ନ ରାଜ୍ୟ ପଞ୍ଜାବ, ରାଜସ୍ଥାନ, ଜମ୍ମୁ ଓ କାଶ୍ମୀରର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲା। ଅସ୍ତ୍ରବିରତି ଓ ପରିସ୍ଥିତିରେ ସୁଧାର ଆସିବା ପରେ ଆଜିଠାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣି ଖୋଲିଛି। ପାକିସ୍ତାନ ସୀମା ସଂଲଗ୍ନ ପଞ୍ଜାବର ଅମୃତସର, ତରନ ତାରାନ, ପଠାନକୋଟ୍‌, ଫଜିଲିକା, ଫିରୋଜପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି। ଗତକାଲି ଗୁରୁଦାସପୁର ଜିଲ୍ଲାର ସ୍କୁଲ-କଲେଜଗୁଡ଼ିକ ଖୋଲିଥିଲା। ପ୍ରଶାସନ ନିର୍ଦ୍ଦେଶାନୁସାରେ ଶିକ୍ଷାନୁଷ୍ଠାନଗୁଡ଼ିକ ସକାଳ ସାଢ଼େ ୧୦ଟାରୁ ସାଢ଼େ ୨ଟା ଯାଏଁ ଖୋଲିବ। ତେବେ ସୀମା ସଂଲଗ୍ନ ଜିଲ୍ଲାର ଲୋକମାନେ ରାତିରେ ସ୍ବେଚ୍ଛାକୃତ ଭାବେ ‘ବ୍ଲାକ୍‌ଆଉଟ୍‌’ କରିବାକୁ ଅନୁରୋଧ କରାଯାଇଛି। ସେହିଭଳି ଜମ୍ମୁ ଓ କାଶ୍ମୀରର ଅଣ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଶିକ୍ଷାନୁଷ୍ଠାନ ମଇ ୧୩ ତାରିଖରୁ ଖୋଲିଛି। ଆଜିଠାରୁ ସୀମାବର୍ତ୍ତୀ ଉଦ୍ଧମପୁର ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକ ଓ କଶ୍ମୀର ବିଶ୍ବବିଦ୍ୟାଳୟ ଖୋଲିଛି। ତେବେ କୁପୱାଡ଼ା, ବାରାମୁଲ୍ଲା, ବନ୍ଦୀପୁରାର ଗୁରେଜ୍‌ ସେକ୍ଟରର ଶିକ୍ଷାନୁଷ୍ଠାନଗୁଡ଼ିକ ପୂର୍ବ ଆଦେଶ ଅନୁସାରେ ବନ୍ଦ ରହିଛି। ରାଜସ୍ଥାନରେ ଗତକାଲି ବିକାନେର, ଶ୍ରୀ ଗଙ୍ଗାନଗର, ଯୋଧପୁରର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି।

Govt

Comments are closed.