ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ତେବେ ଚିକିତ୍ସାରେ ଅବହେଳା ଯୋଗୁଁ ଡେଙ୍ଗୁ ଆକ୍ରାନ୍ତଂକ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି I ମୃତ ମହିଳା ଜଣକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଚନ୍ଦ୍ରକଳା ମାନସିଂହ (୫୯) । ତାଙ୍କୁ ଜ୍ୱର ହୋଇଥିବାରୁ ଗୁରୁବାର ଦିନ ୧୧ ଟା ବେଳେ ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ଏକ ଘରୋଇ ଲାବ୍ରେ ପତ୍ନୀଙ୍କ ଡେଙ୍ଗୁ ପରୀକ୍ଷା କରିଥିଲି । ରିପୋର୍ଟରେ ପଜିଟିଭ୍ ଆସିଥିଲା । ଡାକ୍ତର ଓ ଟ୍ରେନିଂ ନର୍ସଙ୍କ ଅବହେଳାରୁ ସନ୍ଧ୍ୟା ବେଳେ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ତେବେ ଏନେଇ ହସ୍ପିଟାଲ ପକ୍ଷରୁ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଅନ୍ୟପଟେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଂକ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି I ଚଳିତମାସ ମଧ୍ୟଭାଗ ସୁଦ୍ଧା ଓଡ଼ିଶା ଡେଙ୍ଗୁ ରୋଗୀଙ୍କ ତାଲିକାରେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଓଡ଼ିଶା ଉପରେ କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରାଜ୍ୟ ରହିଛନ୍ତି। ଏବେ ଯେଉଁଭଳି ଢଙ୍ଗରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି ବର୍ଷ ଶେଷ ବେଳକୁ ଦେଶବ୍ୟାପୀ ଏହି ତାଲିକାରେ ଓଡ଼ିଶା ଆହୁରି ଉପରକୁ ଉଠିପାରେ। ଏଣିକି ବର୍ଷ ତମାମ ଡେଙ୍ଗୁ ଲାଗି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ବର୍ଷା ଋତୁ ବ୍ୟତୀତ ଖରା ଏବଂ ଶୀତ ଦିନରେ ବି ଏହି ମଶା କାମୁଡିବା ଆଶଙ୍କା ରହିଛି I ଏହି ମଶା ଦିନ ବ୍ୟତୀତ ସନ୍ଧ୍ୟା ଏବଂ ରାତି ସମୟରେ ବି କାମୁଡ଼ିବାର ଭୟ ରହିଛି । ଏବେ ଲଗାତାର ଭାବେ ବର୍ଷା ହେଉଥିବାରୁ ଆସନ୍ତା ୧ମାସ ପର୍ଯ୍ୟନ୍ତ ଡେଙ୍ଗୁ ସଂକ୍ରମଣ ଜାରି ରହିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛି। ଏଥିପାଇଁ ନିଜ ଘର ଆଖ ପାଖ ପରିଷ୍କାର ସହିତ ମଶାରୀ ଟାଙ୍ଗି ଶୋଇବାକୁ ସ୍ୱାସ୍ଥ୍ୟ ପରାମର୍ଶ ଦେଇଛନ୍ତି I

Comments are closed.