କାନ୍ଦିଲା ଜନ୍ମମାଟି : ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ

ଧାମନଗର : ଆଉ ନାହାନ୍ତି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ I ଗତକାଲି ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲ୍ ରେ ତାଙ୍କର ପରଲୋକ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା I ଏମ୍ସରୁ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣା ଯାଇଥିବା ମରଶରୀର । ଏହାପରେ ଭୁବନେଶ୍ୱରରୁ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଭଦ୍ରକ ନିଆଯାଇଥିଲା । ସେଠାରେ ଶେଷ ଦର୍ଶନପରେ ତାଙ୍କ ମର ଶରୀରକୁ ଗତକାଲି ବିଳମ୍ବିତ ରାତିରେ ଜନ୍ମମାଟି ତିହିଡି ବ୍ଲକ ମଙ୍ଗରାଜପୁର ଗାଁରେ ଦିଆଯାଇଛି ଅନ୍ତିମ ବିଦାୟ  I ପଞ୍ଚଭୂତରେ ବିଲୀନ ହୋଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।

ବିଷ୍ଣୁଙ୍କ ଅକାଳ ବିୟୋଗରେ ମୁରବୀଶୂନ୍ୟ ହୋଇଯାଇଛି ସାରା ଗାଁ I ଛାତିରେ କୋହ ଆଉ ଆଖିରେ ଲୁହ ନେଇ ବର୍ଷା ଭିଜା ରାତିରେ ନିଜର ପ୍ରିୟନେତାଙ୍କୁ ବିଦାୟ ଦେଇଛନ୍ତି I ଶେଷ ଦର୍ଶନ ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପ୍ରଶଂସକ, ସମ୍ପର୍କୀୟ ଓ ପରିବାର ସଦସ୍ୟ । ଏକମାତ୍ର ପୁଅ ସୂରଜ ବାପା ବିଷ୍ଣୁ ସେଠୀଙ୍କ ମରଶରୀରରେ ମୁଖାଗ୍ନି ଦେଇଥିଲେ । ଏହି ଦୁଃଖଦ ସମୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ନେତା ମନମୋହନ ସାମଲ, ବିଧାୟକ ମୋହନ ଚରଣ ମାଝି, ବିଧାୟକ ନାଉରୀ ନାୟକ, ବିଧାୟକ ଭାସ୍କର ମଡେଇ, ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଗତକାଲି ଦିନ ୧୨ଟା୧୫ରୁ ମହାଯାତ୍ରାରେ ଦିବଂଗତ ନେତା ବିଷ୍ଣୁ ଚରଣ ସେଠୀଙ୍କ ମର ଶରୀର ଭଦ୍ରକ ଅଭିମୁଖେ ବାହାରିଥିଲେ ମଧ୍ୟ ତିହିଡିରେ ରାତି ୧୨.୪୦ରେ ପହଞ୍ଚିଥିଲା । ଧାମନଗର ଛକରେ ପହଞ୍ଚିବା ପରେ ଆରମ୍ଭ ହୋଇଥିବା ମୂଷଳ ଧାରର ବର୍ଷା ରାତି ପର୍ଯ୍ୟନ୍ତ ଲାଗି ରହିଥିଲା । ଏହାସତ୍ତ୍ୱେ ବିଷ୍ଣୁ ସେଠୀଙ୍କ ଶେଷ ଦର୍ଶନ କରିବାକୁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ।

ବିଷ୍ଣୁ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ । ସେ ଥରେ ଚାନ୍ଦବାଲିରୁ ଓ ଆଉ ଥରେ ଧାମନଗରରୁ ବିଧାନସଭାକୁ ଯାଇଥିଲେ । ୨୦୧୯ରେ ସେ ବିରୋଧୀ ଦଳ ଉପନେତା ହେବା ପରେ ତାଙ୍କ ଦାୟିତ୍ୱ ବଢ଼ିଥିଲା । ଏହାସତ୍ତ୍ୱେ ସେ ତାଙ୍କ ପାରମ୍ପରିକ ଅନ୍ଦାଜକୁ ଛାଡ଼ି ପାରିନଥିଲେ । ଦ୍ୱିତୀୟ ଥର ବିଧାନସଭାକୁ ଆସିବା ପରେ ତାଙ୍କୁ ରାଜ୍ୟ ସରକାର କ୍ୱାର୍ଟର୍ସ ଦେଇନଥିବାରୁ ନବୀନଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ସେ । ସେହିଭଳି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ଅବସରରେ ନିଜେ ଲେଖିଥିବା ଏକ କବିତାକୁ ବନ୍ଧେଇ କରି ଉପହାର ଦେଇଥିଲେ । ଏଥିରେ ସେ ରାଇରଙ୍ଗପୁରରୁ ରାଇସିନା ହିଲ୍ସ ପର୍ଯ୍ୟନ୍ତ ଯାତ୍ରାକୁ ସୁନ୍ଦର ଶବ୍ଦରେ ସଜାଇଥିଲେ ।

ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ । ତାଙ୍କ ଦେହାନ୍ତ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପତି । ସେହିପରି ଓଡ଼ିଶାର ବିକାଶରେ ବିଷ୍ଣୁ ବାବୁଙ୍କ ଅତୁଳନୀୟ ଅବଦାନ ଥିଲା ଏବଂ ଜଣେ ପରିଶ୍ରମୀ ବିଧାୟକଭାବେ ତାଙ୍କର ନିଆରା ପରିଚୟ ଥିଲା ବୋଲି ଟ୍ୱିଟ୍ କରିଛନ୍ତିି ପ୍ରଧାନମନ୍ତ୍ରୀ ମୋଦି ।

 

Govt

Comments are closed.