ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ କର୍ଣ୍ଣାଟକର ଦାବଣଗେରେ ଉପକଣ୍ଠ ହେବ୍ବାଲୁ ଚେକ୍ ପୋଷ୍ଟ୍ରେ ଭାରତୀୟ ନିର୍ବାଚନ କମିସନ୍ ଅଧିକାରୀମାନେ ବଲିଉଡ୍ ପ୍ରଜଯୋକ ବୋନି କପୁର କାର୍ ଭିତରୁ ୩୯ ଲକ୍ଷ ଟଙ୍କା ମୂଲ୍ୟର ୬୬ କିଲୋ ଓଜନର ରୁପା ସାମଗ୍ରୀ ଜବତ କରିଛି। ୫ଟି ପେଟିରେ ରଖାଯାଇଥିବା ଏହି ରୁପା ସାମଗ୍ରୀକୁ ଗୋଟାଏ ବିଏମ୍ଡବ୍ଲୁ କାର୍ରେ ଚେନ୍ନାଇରୁ ମୁମ୍ବାଇ ନିଆଯାଉଥିଲା। କିନ୍ତୁ, ସାମଗ୍ରୀଗୁଡ଼ିକର ଉପଯୁକ୍ତ କାଗଜପତ୍ର ନ ଥିଲା। କାର୍ ଡ୍ରାଇଭର୍ ସୁଲ୍ତାନ୍ ଓ ଅନ୍ୟଜଣେ ସହଯୋଗୀ ହରି ସିଂହଙ୍କ ନାଁରେ ଦାବଣଗେରେ ଗ୍ରାମୀଣ ଥାନାରେ ମାମଲା ରୁଜୁ କରାଯାଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ବେଭିୟୁ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମରେ ପଞ୍ଜିକୃତ ହୋଇଥିବା ଏହି କାର୍ର ମାଲିକ ହେଉଛନ୍ତି ବୋନି କପୁର୍। ତଦନ୍ତ ବେଳେ ହରି ସିଂହ ସ୍ବୀକାର କରିଛି ଯେ, ରୁପା ସାମଗ୍ରୀ ସବୁ ବଲିଉଡ୍ ପ୍ରଯୋଜକ ବୋନି କପୁରଙ୍କ ପରିବାରର। ଉପଯୁକ୍ତ କାଗଜପତ୍ର ଦେଖାଇ ନ ପାରିବାରୁ ନିର୍ବାଚନ କମିସନ୍ ଉକ୍ତ ରୁପା ସାମଗ୍ରୀଗୁଡ଼ିକୁ ଜବତ କରିଛନ୍ତି। ପ୍ରକୃତରେ ଏସବୁ ବୋନି କପୁର୍ଙ୍କ ପରିବାରର କି, ନୁହେଁ, ତାହା ଜାଣିବା ଲାଗି ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

Comments are closed.