ମୁମ୍ବାଇ: ଟିଭି ଅଭିନେତ୍ରୀ ପ୍ରିୟା ମରାଠେଙ୍କର ମାତ୍ର ୩୮ ବର୍ଷ ବୟସରେ ପରଲୋକ ଘଟିଛି। ‘ପବିତ୍ର ରିସ୍ତା’ ଧାରାବାହିକରୁ ଘରେ ଘରେ ଲୋକପ୍ରିୟ ହୋଇଥିବା ପ୍ରିୟା ରବିବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ ବର୍ଷ ସେ କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେବେଠାରୁ ତାଙ୍କର ଚିକିତ୍ସା ଚାଲିଥିଲା। ରବିବାର ସକାଳେ ତାଙ୍କର ପରଲୋକ ଘଟିଛି। ଏତେ କମ୍ ବୟସରେ ତାଙ୍କ ମୃତ୍ୟୁକୁ ନେଇ ପ୍ରଶଂସକମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ୧୯୮୭ ମସିହା ୨୩ ଏପ୍ରିଲରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ସେ ମୁମ୍ବାଇରେ ହିଁ ତାଙ୍କ ସ୍କୁଲ ଓ କଲେଜ ଶିକ୍ଷା ଶେଷ କରିଥିଲେ। ପ୍ରିୟା ଉଭୟ ମରାଠୀ ଓ ହିନ୍ଦୀ ଧାରାବାହିକରେ କାମ କରିଥିଲେ। ମରାଠୀ ଧାରାବାହିକ ‘ୟା ସୁଖାନୋୟା ଚାର୍ ଦିବସ ଶାଶୁଚେ’ରୁ ସୁଖ୍ୟାତି ପାଇଥିଲେ। ଏହାପରେ ତାଙ୍କୁ ‘କସମ ସେ’, ‘ଭାରତ କେ ବୀର ପୁତ୍ର-ମହାରାଣା ପ୍ରତାପ’, ‘ବଡ଼େ ଅଚ୍ଛେ ଲଗତେ ହେଁ’ ପ୍ରଭୃତି ଧାରାବାହିକରେ ଦେଖିବାକୁ ମିଳିଥିଲା। ସେ ଅନେକ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ନିଜର ଅଭିନୟ ପ୍ରତିଭା ଦେଖାଇଛନ୍ତି।
