ଆରମ୍ଭ ହୋଇଛି ଚର୍ଚ୍ଚିତ ରିଆଲିଟି ଶୋ ବିଗ୍ ବସ୍, ଯେଉଁଥିରେ ଜଣେ ପ୍ରତିଯୋଗୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ସେ ହେଉଛନ୍ତି ତାନ୍ୟା ମିତ୍ତଲ । ତେବେ ତାଙ୍କୁ ସୋସିଆଲ ମିଡିଆରେ କଣ୍ଟ୍ରଭର୍ସି କୁଇନର ଆଖ୍ୟା ଦିଆଯାଇଛି ।
ବିଗବସରେ ପ୍ରତିଟି ସିଜିନରେ ଏଭଳି ଅନେକ ପ୍ରତିଯୋଗୀ ରହିଥାଆନ୍ତି ଯେଉଁମାନେ ଖୁବ ଚର୍ଚ୍ଚା ସାଉଁଟିଥାଆନ୍ତି । ସେମାନେ କେତେବେଳେ ଭଲ ପାଇଁ ଚର୍ଚ୍ଚାରେ ରହୁଥିବାବେଳେ କେତେବେଳେ ବିବାଦରେ ରୁହନ୍ତି । ଚଳିତ ସିଜିନରେ ସେହିଭଳି ଜଣେ ପ୍ରତିଯୋଗୀ ହଲେ ତାନ୍ୟା ମିତ୍ତଲ, ଯାହାଙ୍କୁ କଣ୍ଟ୍ରଭର୍ସି କୁଇନର ଆଖ୍ୟା ମିଳିଛି । ବିଗବସରେ ସେ ନିଜ ଜୀବନଶୈଳୀକୁ ନେଇ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ବିବାଦ ଉଠିଛି । ତାଙ୍କର କିଛି ଏଭଳି ମନ୍ତବ୍ୟ ମଧ୍ୟ ରହିଛି ଯାହାକୁ ବିଶ୍ବାସ କରିବା ମଧ୍ୟ କଷ୍ଟ ବୋଲି ଅନଲାଇନରେ ମତ ପ୍ରକାଶ ପାଇଛି । ସେ ବାଥରୁମରେ ମଧ୍ୟ ଶାଢି ପିନ୍ଧିଥାଆନ୍ତି ବୋଲି ମତ ଦେଇଥିଲେ ଯାହାପରେ ବିଗବସ ସହିତ ଅନଲାଇନରେ ମଧ୍ୟ ଖୁବ ଚର୍ଚ୍ଚା ହୋଇଥିଲା । ଏହା ଶୁଣିବା ପରେ ତାନ୍ୟାଙ୍କୁ ସମସ୍ତେ ସମାଲୋଚନା କରିବାକୁ ଲାଗିଥିଲେ । ତେବେ ଚର୍ଚ୍ଚାରେ ରହିବାକୁ ତାନ୍ୟାଙ୍କର ଏହା ଟ୍ରିକ ହୋଇପାରେ ବୋଲି ମଧ୍ୟ କିଛି ମନ୍ତବ୍ୟ ଦେଉଛନ୍ତି । ହାଉସ ଭିତରେ ସେ ଏଭଳି ଅନେକ ମନ୍ତବ୍ୟ ଦେଉଛନ୍ତି ଯାହା ଦର୍ଶକଙ୍କୁ ପସନ୍ଦ ଆସୁନି । ତେବେ ଏହା ବ୍ୟତିତ ତାନ୍ୟା ନିଜର ଷ୍ଟାଇଲଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ତାନ୍ୟାଙ୍କ ଗେଟଅପକୁ ସମସ୍ତେ ପସନ୍ଦ କରୁଛନ୍ତି, ସେ ବିଗବସରେ ଖୁବ ଷ୍ଟାଇଲିଷ୍ଟ ଅନ୍ଦାଜରେ ରହୁଥିବା ମତ ପ୍ରକାଶ ପାଇଛି । ତାଙ୍କ ଶାଢୀକୁନେଇ ବାହାରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ତାନ୍ୟା ମିତ୍ତଲ କେବଳ ବିଗବସ ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଖୁବ ଚର୍ଚ୍ଚିତ ଚେହେରା ଥିଲେ । ସେ ଜଣେ ଇନ୍ଫ୍ଲୁଏନ୍ସର, ପୋଡକାଷ୍ଟର ଓ ଜଣେ ମଡେଲ ଭାବେ ପରିଚିତ । ତାଙ୍କର ନିଜସ୍ବ ବ୍ୟବସାୟ ମଧ୍ୟ ରହିଛି । ସୋସିଆଲ ମିଡିଆରେ ଖୁବ ପରିଚିତ ହେଉଛନ୍ତି ତାନ୍ୟା । ତାଙ୍କର ସୋସିଆଲ ମିଡିଆରେ ପାଖାପାଖି ୨.୫ ମିଲିଅନ ଫଲୋଅର୍ସ ରହିଛନ୍ତି । ସେ ଜଣେ ବ୍ଲଗର ଭାବେ ଖୁବ ପରିଚିତ ତାଙ୍କ ପେଜରେ ସବୁବେଳେ ମୋଟିଭେସନାଲ ପୋଷ୍ଟ, ଲାଇଫଷ୍ଟାଇଲ ପୋଷ୍ଟ ସେୟାର ହୋଇଥାଏ । ୨୦୧୮ରେ ସେ ମିସ ଏସିଆ ଟୁରିଜିମ୍ ଭାବେ ବିଜେତା ହୋଇଥିଲେ ଏହାସହିତ ସେ ମିସ ଏସିଆ ଟୁରିଜିମ୍ ୟୁନିଭର୍ସ ପେଗାଣ୍ଟରେ ଭାରତକୁ ପ୍ରତିନିଧିତ୍ବ ମଧ୍ୟ କରିଥିଲେ । ଏହାପରେ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପପୁଲାରିଟି ମିଳିଥିଲା । ମଧ୍ୟପ୍ରଦେଶରେ ଜନ୍ମିତ ତାନ୍ୟାଙ୍କୁ ତାଙ୍କ ପରିବାର ସବୁବେଳେ ଖୁବ ସପୋର୍ଟ କରିଥାଆନ୍ତି । ସେ ସବୁବେଳେ ନିଜ ପରିବାରକୁ ତାଙ୍କ ସଫଳତାର ଶ୍ରେୟ ଦେଉଥିବାର ଦେଖିବାକୁ ମିଳିଥାଏ । ତାଙ୍କର ନିଜର ବ୍ରାଣ୍ଡ ରହିଛି ହ୍ୟାଣ୍ଡମେଡ ଉଇଥ୍ ଲଭ ବାଏ ତାନ୍ୟା, ଯେଉଥିରେ ହ୍ୟାଣ୍ଡବ୍ୟାଗ୍ ଓ ଶାଢି ମିଳିଥାଏ । ତାଙ୍କ ନିଜସ୍ବ ପୋଡକାଷ୍ଟ ଯାହାକୁ ସେ ନିଜେ ଆଙ୍କରିଂ କରିଥାଆନ୍ତି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ । ଏଥିରେ ବିଭିନ୍ନ ପ୍ରକାର ଗେଷ୍ଟ ସାମିଲ ହୋଇଥାଆନ୍ତି । ତାଙ୍କର ଆଗ୍ରହ ପିଲାଦିନୁ ଡିଜାଇନିଂ ଓ କ୍ରିଏଟିଭିଟିରେ ରହିଥିଲା, ଯାହାକୁ ସେ ବଡ ହୋଇ ବ୍ୟାବସାୟରେ ପରିଣତ କରିଛନ୍ତି । ସେହିଭଳି ବିଗବସରେ ଜିତିବାର ମନଭାବ ନେଇ ଆଗକୁ ବଢୁଛନ୍ତି ତାନ୍ୟା ।
