ସେବାକୁ ଜୀବନର ଚରମ ବ୍ରତ ଭାବେ ଗ୍ରହଣ କରି ଜନକଲ୍ୟାଣରେ ନିଜକୁ ଉତ୍ସର୍ଗ କରିଥିବା କେତେଜଣ ମହାମାନବଙ୍କ ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଥିଲେ ଅନ୍ୟତମ । ଓଡ଼ିଆ ଅସ୍ମିତା ତଥା ଗର୍ବ ଓ ଗୌରବର ପ୍ରତୀକ ତଥା ଉତ୍କଳର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକେଫାବର ୯ ତାରିଖରେ ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିତା ଦୈତାରୀ ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଯୋଗଜନ୍ମା ଉତ୍କଳର ମଉଡ଼ମଣି ଗୋପବନ୍ଧୁ ଦାସ । ଜନ୍ମର ଅଳ୍ପଦିନ ମଧ୍ୟରେ ମାତା ସ୍ୱର୍ଣ୍ଣମୟୀଙ୍କର ଅକାଳ ବିୟୋଗ ଘଟିଥିଲା । ଦୈତାରୀଙ୍କ ବିଧବା ଭଉଣୀ କମଳାଦେବୀ ଗୋପବନ୍ଧୁଙ୍କ ଲାଳନପାଳନ ଦାୟିତ୍ୱ ନେଇଥିଲେ । ଗୋପବନ୍ଧୁ ନିଜର ବାଲ୍ୟଶିକ୍ଷା ନିଜ ଗ୍ରାମରେ ସମାପନ କରିଥିଲେ । ପରେ ୧୮୯୩ ମସିହାରେ ପୁରୀଜିଲ୍ଲା ସ୍କୁଲରେ ସେ ଅଧ୍ୟୟନ କଲେ । କେତେଜଣ ଛାତ୍ରବନ୍ଧୁମାନଙ୍କୁ ନେଇ ସେ “ପୁରୀ ସେବା ସମିତି’ ନାମରେ ଏକ ସେ୍ୱଚ୍ଛାସେବୀ ଦଳ ଗଠନ କରିଥିଲେ । ରଥଯାତ୍ରାରେ ଯାତ୍ରୀମାନଙ୍କ ସୁବିଧା ଅସୁବିଧା, ହଇଜାରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ଶବସତ୍କାର ଏବଂ ରୋଗୀମାନଙ୍କର ସେବା ଶୁଶ୍ରୁଷା କରୁଥିଲେ । ରେଭେନ୍ସା କଲେଜରେ ପଢ଼ୁଥିବା ବେଳେ ଗୋପବନ୍ଧୁ ସଙ୍ଗସାଥୀମାନଙ୍କୁ ନେଇ କଟକରେ ଗୋଟିଏ ସମିତି ସ୍ଥାପନ କରିଥିଲେ, ଏହାର ନାମଥିଲା “କର୍ତ୍ତବ୍ୟ ବୋଧିନୀ’ । ଏହି ସମିତି ଜରିଆରେ ସେ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ । ୧୯୦୯ ମସିହାରେ ସେ ସତ୍ୟବାଦୀର ବକୁଳ ଛୁରିଆନା କୁଞ୍ଜରେ ସ୍ଥାପନ କରିଥିଲେ “ସତ୍ୟବାଦୀ ବନ ବିଦ୍ୟାଳୟ’ । ଏହା ଥିଲା ଏକ ମଣିଷ ତିଆରି କାରଖାନା । ଗୋପବନ୍ଧୁ ମାନବ ସେବାକୁ ମାଧବ ସେବା ବୋଲି ଭାବୁଥିଲେ । ଉତ୍କଳ ବାସୀଙ୍କୁ ସେ ନିଜର ଭାଇ ବନ୍ଧୁ କୁଟୁମ୍ବ ବୋଲି ମନେ କରୁଥିଲେ । ସମସ୍ତଙ୍କ ମୁଖରେ ହସ ଫୁଟାଇବା ପାଇଁ ନିଜ ଜୀବନକୁ ତିଳ ତିଳ କରି ପ୍ରଜ୍ଜ୍ୱଳିତ କରିଥିଲେ । ସେବା ଓ ତ୍ୟାଗ ଥିଲା ତାଙ୍କ ଜୀବନର ବଞ୍ଚିବାର ପ୍ରକୃତ ମାର୍ଗ । କର୍ମହିଁ ଜୀବନର ମାନଦଣ୍ଡ । ଯାହାକୁ ସେ ନିଜର କବିତା ମାଧ୍ୟମରେ ଦର୍ଶାଇଥିଲେ ତାହା ଏହିପରି
” ମାନବ ଜୀବନ ନୁହଁଇ କେବଳ
ବର୍ଷ ମାସ ଦିନ ଦଣ୍ଡ,
କର୍ମେ ଜୀଏଁ ନର କର୍ମ ଏକା ତା’ର
ଜୀବନର ମାନଦଣ୍ଡ । ।’
ସେବା,ସଂଗ୍ରାମ, ସଂସ୍କାର, ସ୍ନେହ, କରୁଣା ଓ ତ୍ୟାଗର ପ୍ରତୀକ ଥିଲେ ଉତ୍କଳର ମଉଡ଼ ମଣି ଗୋପବନ୍ଧୁ ଦାସ । ଗାନ୍ଧୀଙ୍କ ନୀତିର ସେ ଦୃଢ ପ୍ରଚାରକ ଥିଲେ । ଗୋପବନ୍ଧୁ ଦାସ ଏକାଧାରରେ ଥିଲେ ଜଣେ ଶିକ୍ଷକ, ସଂସ୍କାରକ,ଦାର୍ଶନିକ, ସେବକ, ଲେଖକ, ଏବଂ ରାଜନୀତିଜ୍ଞ । ଗୋପବନ୍ଧୁ ୧୯୨୮ ମସିହା ଜୁନ୍ ମାସ ୧୭ ତାରିଖରେ ଏ ଧରା ପୃଷ୍ଠରୁ ବିଦାୟ ନେଇ ସ୍ୱର୍ଗପଥର ଯାତ୍ରୀ ହୋଇଥିଲେ । ମାତ୍ର ୫୧ ବର୍ଷ ସ୍ୱଳ୍ପକାଳୀନ ଜୀବନ ସୀମା ଭିତରେ ସେ ଯେଉଁ କର୍ମ କରିଯାଇଛନ୍ତି, ତାହା ତାଙ୍କୁ ଚିର ଦିନ ପାଇଁ ଅମର କରି ରଖିବ ।
ଚିତ୍ତରଞ୍ଜନ ପୃଷ୍ଟି,
ମୋ-୯୭୭୮୧୭୭୫୦୧

Comments are closed.