ଭୁବନେଶ୍ୱର : ରାଜ୍ୟ ପ୍ରଶାସନିକ ସେବା ସ୍ତରରେ ଅଦଳବଦଳ । ପ୍ରଶାସନ ବିଭାଗ ପକ୍ଷରୁ ଓଏଏସ ସ୍ତରରେ ଏକ ଛୋଟ ଅଦଳ ବଦଳ କରାଯାଇ ଗତକାଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି। କେନ୍ଦୁଝର ଏଡିଏମ୍ ଥିବା ଆଲୋକ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହ ନୟାଗଡ଼ ବିଡିଓ ଥିବା ପଦ୍ମ ଚରଣ ସାହୁଙ୍କୁ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗର ଡେପୁଟି ସଚିବ ଭାବେ ବଦଳି ହୋଇଛି। ସେହିପରି ଆନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏହାସହିତ ଶ୍ରୀ ପଣ୍ଡା ଶ୍ରୀମନ୍ଦିର ପ୍ରଶାସନର ଉପନିର୍ଦ୍ଦେଶକ(ରାଜସ୍ୱ) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।
ଅନ୍ୟପଟେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଅନ୍ୟ ଏକ ବିଜ୍ଞପ୍ତିରେ ବାରିପଦା ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ମଧୁସ୍ମିତା ସାମନ୍ତରାୟଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବଦଳି କରାଯାଇଛି। ଚୌଦ୍ୱାର ମ୍ୟୁନିସପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରଶାଦ ରାଉତଙ୍କୁ ବାରିପଦା ମ୍ୟୁନିସପାଲଟିକୁ ବଦଳି କରାଯାଇଛି। ଏହି ଦୁଇ ନିର୍ଦ୍ଦେଶନାମାରେ ଏକାଧିକ ଅଧିକାରୀଙ୍କ ପୁରୁଣା ବଦଳି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇ ନୂତନ ଭାବେ ବିଜ୍ଞପ୍ତି ଜାରି ହୋଇଛି। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ମ୍ୟୁନିସପାଲଟି ଓ ଏନ୍ଏସିରେ କାର୍ଯ୍ୟରତ ୧୧ ଜଣ ଓଏଏସ୍, ୧୭ ଜଣ ଓଆର୍ଏଏସ୍ ଏବଂ ଦୁଇ ଜଣ ଓଏମ୍ଏଏସ୍ ଅଧିକାରୀଙ୍କୁ ବିଭିନ୍ନ ପୌର ସଂସ୍ଥା ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ଅଦଳବଦଳ କରାଯାଇଛି।

Comments are closed.