ଉମେଶ ପାଲ ଅପହରଣ ମାମଲାରେ ଅତିକ ଅହମଦକୁ ଆଜୀବନ ଜେଲ୍‌

ଅତିକର ଭାଇ ସମେତ ୭ ଦୋଷମୁକ୍ତ

ନୂଆଦିଲ୍ଲୀ, ୨୮/୩ : ୨୦୦୬ ମସିହାର ଉ‌‌ମେଶ ପାଲ୍‌ ଅପହରଣ ମାମଲାରେ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜ କୋର୍ଟ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦକୁ ଦୋଷୀ ସାବ୍ୟସ୍ତ କରି ତାକୁ ଆଜୀବନ କାରାଦଣ୍ଡ‌ରେ ଦଣ୍ଡିତ କରିଛନ୍ତି। ସ୍ବତନ୍ତ୍ର ଏମ୍‌ପି/ ଏମଏଲଏ କୋର୍ଟ ମାଫିଆ ଡନ୍ ଅତିକ ଅହମଦ, ଦିନେଶ ପାସି ଏବଂ ଖାନ ସୌଲତ ହାନିଫକୁ ଏହି ମାମଲାରେ ଆଜୀବନ କାରାଦଣ୍ଡ‌ରେ ଦଣ୍ଡିତ କରିଛନ୍ତି। ସେମାନଙ୍କୁ ମଧ୍ୟ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଅନ୍ୟପକ୍ଷେ ଅତିକ ଅହମଦର ଭାଇ ଖଲିଦ ଆଜିମ ଓରଫ ଅସରଫ ସମେତ ୭ ଜଣଙ୍କୁ କୋର୍ଟ ଏହି ମାମଲାରୁ ଦୋଷମୁକ୍ତ କରିଛନ୍ତି। କୋର୍ଟଙ୍କ ରାୟ ଆସିବାପରେ ଆଜି ଉମେଶ ପାଲ କୋର୍ଟରୁମରେ କାନ୍ଦି ପକାଇଥିଲା।
ବିଏସ୍‌ପି ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାରେ ଆଇନଜୀବୀ ଉମେଶ ପାଲ ଜଣେ ମୁଖ୍ୟ ସାକ୍ଷୀ ଥିଲେ। ବିଏସ୍‌ପି ବିଧାୟକ ରାଜୁ ପାଲ୍‌ଙ୍କୁ ୨୦୦୫ ଜାନୁଆରି ୨୫ରେ ହତ୍ୟା କରାଯାଇଥିଲା। ଏହାପରେ ତତ୍କାଳୀନ ଜିଲ୍ଲା ପଞ୍ଚାୟତ ସଦସ୍ୟ ଉମେଶ ପାଲ ପୁଲିସକୁ କହିଥିଲେ ଯେ ସେ ଏହି ମାମଲାର ଜଣେ ମୁଖ୍ୟ ସାକ୍ଷୀ। କିନ୍ତୁ ଉମେଶ ପାଲ୍‌ଙ୍କୁ ୨୦୦୬ ଫେବ୍ରୁଆରି ୨୮ ତାରିଖରେ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ମାମଲାରେ ନିରବ ରହିବାପାଇଁ ତାଙ୍କୁ ଧମକ ଦିଆ‌ଯାଇଥିଲା। ଏନେଇ ଅତିକ ଅହମଦ ଏବଂ ତା’ ଭାଇ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ୨୦୦୭ ଜୁଲାଇ ୫ରେ ଏତଲା ରୁଜୁ ହୋଇଥିଲା। ତେବେ ଉମେଶ ପାଲଙ୍କୁ ଫେବ୍ରୁଆରି ୨୪ ତାରିଖରେ ତାଙ୍କ ବାସଭବନ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଅତିମ ଅହମଦ ଏବଂ ତା’ ଭାଇ ଏହି ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ‌ବୋଲି ଅଭିଯୋଗ ହୋଇଛି। ଅତିକ ଅହମଦ ବିରୋଧରେ ୧୦୦ରୁ ଅଧିକ ମାମଲା ରହିଛି। ୫୦ଟି ମାମଲାରେ ବିଚାରଣ ଚାଲିଥିବାବେଳେ ୧୨ଟି ମାମଲାରେ ସେ ଦୋଷମୁକ୍ତ ହୋଇସାରିଛି। ଅନ୍ୟପକ୍ଷେ ଅତିକ ଅହମଦକୁ ଆଜି ସୁପ୍ରିମକୋର୍ଟ‌ରେ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶ ପୁଲିସ ହେପାଜତରେ ଅତିକ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ଅତିକ ଅହମଦର ଏହି ଆବେଦନ ଖାରଜ କରିଦେଇଛନ୍ତି। ଅତିକ ଅହମଦ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିପାରିବ ବୋଲି କୋର୍ଟ କହିଛନ୍ତି। ୨୪ ଘଣ୍ଟାର ଯାତ୍ରା ପରେ ଅତିକ ଅହମଦକୁ ଗୁଜରାଟରୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରୟାଗରାଜର ନଇନୀ ସେଣ୍ଟ୍ରାଲ ଜେଲ୍‌ ଅଣାଯାଇଥିଲା।

Launching Ceremony of “AYUSHMAN BHARAT

Comments are closed.