ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ୍‌ଙ୍କୁ ବହିଷ୍କାର କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଜେରୁଜେଲମ୍‌: ମିଳିତ ଜାତିସଂଘ, ଆନ୍ତର୍ଜାତିକ କୋର୍ଟ, ଅନେକ ଇଉରୋପୀୟ ରାଷ୍ଟ୍ରଙ୍କ ଚାପକୁ ଖାତିର ନକରି ଇସ୍ରାଏଲ୍‌ର ଶତ୍ରୁ ପକ୍ଷ ରାଷ୍ଟ୍ରଙ୍କ ଉପରେ ଘନଘନ ଆକ୍ରମଣ ଜାରି ରଖିଛି। ଯେଉଁଥିପାଇଁ ହମାସ୍‌, ହେଜବୁଲ୍ଲା, ଇରାକ୍‌, ୟେମନର ହୁତିର ଅନେକ ପ୍ରମୁଖ ନେତା ନିହତ ହୋଇଛନ୍ତି। ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ଘାତକ ଆକ୍ରମଣରେ ପାଲେଷ୍ଟାଇନ୍‌, ଲେବାନନ୍‌ର ଅନେକ ଅଞ୍ଚଳ ସମତଳ ହୋଇଯାଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଦେଶର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ୍‌ଙ୍କୁ ବହିଷ୍କାର କରିଛନ୍ତି। ଏହାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ଙ୍କୁ ବହିଷ୍କାର କରି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ‘ବିଶ୍ବାସର ବିଫଳତା’ ବୋଲି ଉଲ୍ଲେଖ କରି କହିଛନ୍ତି, ବିଶେଷତଃ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟରେ ଗଭୀର ବିଶ୍ବାସ ରହିବା ଆବଶ୍ୟକ। ୟୋଆଭ୍‌ଙ୍କ ବଦଳରେ ସେ ବିଦେଶ ମନ୍ତ୍ରୀ କାଟ୍‌ଜଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ଦେଇଛନ୍ତି। ତେବେ ୟୋଆଭ୍‌ ଜଣେ ଅଭିଜ୍ଞ ତଥା ପୂର୍ବତନ ସେନାଧ୍ୟକ୍ଷ ଥିଲେ। ଇସ୍ରାଏଲ୍‌ର ବହୁମୁଖି ଯୁଦ୍ଧରେ ତାଙ୍କର ଅଭିଜ୍ଞତା ପ୍ରଭାବଶାଳୀ ଥିଲା। ଏଭଳି ବହିଷ୍କାରକୁ ନେଇ ସମଗ୍ର ଦେଶରେ ପ୍ରତିବାଦର ସ୍ବର ସୃଷ୍ଟି ହୋଇଛି। ତେଲ ଆଭିଭ ଓ ଅନ୍ୟ ସହରରେ ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଓହ୍ଲାଇ ଆସି ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦେଶର ସ୍ବାର୍ଥ ଠାରୁ ନିଜର ସ୍ବାର୍ଥକୁ ନେତାନ୍ୟାହୁ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି ସମାଲୋଚକମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ଭାବେ ୟୋଆଭ୍‌ ଶାସକ ମେଣ୍ଟର ଧାର୍ମିକ କଠୋରପନ୍ଥୀ ସହଯୋଗୀଙ୍କୁ ୭ହଜାର ଅତିରିକ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା।

Launching Ceremony of “AYUSHMAN BHARAT

Comments are closed.