ଆସାମ କ୍ୟାବିନେଟ୍‌ ସମ୍ପ୍ରସାରଣ ଓ ବିଭାଗ ଅଦଳବଦଳ; ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ପୂର୍ତ୍ତ, ଭେଷଜ ଶିକ୍ଷା ବିଭାଗ

ଗୁଆହାଟି: ଆସମ କ୍ୟାବିନେଟ୍‌ରେ ଏକ ବଡ଼ଧରଣର ବିଭାଗ ଅଦଳବଦଳ ହୋଇଛି। ନୂତନ ଭାବେ ଚାରିଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରାଯାଇଛି। ଏହାପରେ ସାମ୍ବିଧାନିକ ନିୟମାନୁସାରେ ଆସାମ କ୍ୟାବିନେଟ୍‌ର ସଦସ୍ୟ ସଂଖ୍ୟା ୧୯ ଛୁଇଁଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଗୃହ, ପୂର୍ତ୍ତ, ସାଧାରଣ କୋଠା ନିର୍ମାଣ ଓ ଜାତୀୟ ରାଜପଥ, ଭେଷଜ ଶିକ୍ଷା ଓ ଗବେଷଣା ବିଭାଗ, କାର୍ମିକ ବିଭାଗ ନିଜ ହାତରେ ରଖିଛି। କ୍ୟାବିନେଟ୍‌ରେ ନୂତନ ଭାବେ ସାମିଲ ହୋଇଥିବା ପ୍ରଶାନ୍ତ ଫୁକନ୍‌ଙ୍କୁ ଶକ୍ତି, ଦକ୍ଷତା-ନିଯୁକ୍ତି-ଉଦ୍ୟମିତା ବିଭାଗ ଓ ବାରାକ୍‌ ଭ୍ୟାଲି ଉନ୍ନୟନ ବିଭାଗ, କ୍ରିଷ୍ଣେନ୍ଦୁ ପଉଲଙ୍କୁ ମତ୍ସ୍ୟ ଓ ପଶୁପାଳନ ବିଭାଗ, ରୂପେଶ ଗୋୱାଲାଙ୍କୁ ଶ୍ରମିକ ମଙ୍ଗଳ ଓ ଚାହା ଆଦିବାସୀ ଓ ଆଦିବାସୀ ଉନ୍ନୟନ ବିଭାଗ, ଆସାମ ଗଣପରିଷଦ (ଏଜିପି) ବିଧାୟକ ତଥା ମନ୍ତ୍ରୀ ଅତୁଲ ବୋରାଙ୍କୁ ଅବକାରୀ ବିଭାଗ ପ୍ରଦାନ କରାଯାଇଥିବା ବେଳେ ତାଙ୍କ ହାତରେ ଥିବା ପଶୁପାଳନ ବିଭାଗ କାଢ଼ି ନିଆଯାଇଛି। ତେବେ ସେ ପୂର୍ବଭଳି କୃଷି, ଉଦ୍ୟାନ, ସୀମା ଅଞ୍ଚଳ ବିକାଶ ଓ ଆସାମ ଚୁକ୍ତି କାର୍ଯ୍ୟାନ୍ବୟନ ଯୋଜନା ବିଭାଗ ଦାୟିତ୍ବରେ ରହିଛନ୍ତି। ଅନ୍ୟଜଣେ ଏଜିପି ବିଧାୟକ ତଥା ମନ୍ତ୍ରୀ କେଶବ ମହାନ୍ତଙ୍କୁ ପୂର୍ବର ସୂଚନା, ପ୍ରଯୁକ୍ତି ଓ ବିଜ୍ଞାନ ବିଭାଗ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ଜୁନ୍‌ ମାସରେ ପ୍ରଦାନ କରାଯାଇଥିବା ପରିବହନ, ଅବକାରୀ ଓ ମତ୍ସ୍ୟ ବିଭାଗ ହଟାଇ ଅନ୍ୟମନ୍ତ୍ରୀଙ୍କୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଶ୍ବସ୍ତ କୁହାଯାଉଥିବା ପୀୟୂଷ ହଜାରିକାଙ୍କ ହାତରୁ ସଂସଦୀୟ ବ୍ୟାପାର ବିଭାଗ ହଟାଇ ଦିଆଯାଇଛି, କିନ୍ତୁ ପୂର୍ବଭଳି ସେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। ସେହିଭଳି ଅନ୍ୟଜଣେ ଘନିଷ୍ଠ ଜୟନ୍ତ ମାଲ୍ଲା ବାରୁହାଙ୍କୁ କୁଶଳ, ନିଯୁକ୍ତ ଓ ଉଦ୍ୟମ ବିଭାଗ ଓ ପର୍ଯ୍ୟଟନ ବିଭାଗ କାଢ଼ି ନିଆଯାଇଛି । ତାଙ୍କୁ ନୂତନ ଭାବେ ନଗର ଓ ଗୃହ ନିର୍ମାଣ ବିଭାଗ ପ୍ରଦାନ କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.