ଆମେରିକାରେ ସଡ଼କ ଦୁର୍ଘଟଣାରେ ୪ ଭାରତୀୟଙ୍କ ମୃତ୍ୟୁ

ୱାସିଂଟନ: ଆମେରିକାର ଟେକ୍ସାସରେ ଏକ ସଡ଼କ ଦୁର୍ଘଟଣା ସମୟରେ ଗୋଟିଏ ଏସ୍‌ୟୁଭିରେ ନିଆଁ ଲାଗିଯିବାରୁ ଜଣେ ମହିଳାଙ୍କ ସମେତ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡରେ ସେମାନଙ୍କ ଶରୀର ଜଳିଯାଇଥିବା ବେଳେ କର୍ତ୍ତୃପକ୍ଷ ଏବେ ସେମାନଙ୍କ ପରିଚୟ ଜାଣିବା ପାଇଁ ଡିଏନ୍ଏ ପରୀକ୍ଷା କରୁଛନ୍ତି। ଚାରିଜଣ କାର୍‌ପୁଲିଂ ଆପ୍ ଜରିଆରେ ସଂଯୋଗ ହୋଇ ଆର୍କାନସାସର ବେଣ୍ଟନଭିଲ୍ ଅଭିମୁଖେ ଯାଉଥିଲେ। ଏହି ଦୁର୍ଘଟଣାରେ ଅତି କମ୍‌ରେ ୫ଟି ଗାଡ଼ି ସମ୍ପୃକ୍ତ ଥିଲା। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍, ଏସ୍‌ୟୁଭିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୪ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ହାଇଦ୍ରାବାଦର ଆର୍ଯ୍ୟନ ରଘୁନାଥ ଓରାମପତି ଓ ତାଙ୍କ ସାଙ୍ଗ ଫାରୁକ୍ ଶେଖ୍, ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀର ଲୋକେଶ ପାଲାଚର୍ଲା ଓ ତାମିଲନାଡୁର ଦର୍ଶିନୀ ବାସୁଦେବନ। ଓରାମପତି ଓ ତାଙ୍କ ସାଙ୍ଗ ଶେଖ୍‌ ଡଲାସରେ ଜଣେ ସମ୍ପର୍କୀୟଙ୍କୁ ଭେଟି ଘରକୁ ଫେରୁଥିଲେ। ପାଲାଚାର୍ଲା ତାଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ବେଣ୍ଟନଭିଲ ଯାଉଥିବା ବେଳେ ଟେକ୍ସାସ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ବାସୁଦେବନ ତାଙ୍କ ମାମୁଁଙ୍କୁ ଭେଟିବାକୁ ଯାଉଥିଲେ।

Govt

Comments are closed.