ଆଜି ଶ୍ରାଦ୍ଧଦିବସ,,, ବାଣୀକଣ୍ଠ ନିମାଇଁ ହରିଚନ୍ଦନ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବନମାଳୀ, ଦୀନକୃଷ୍ଣ, ଗୋପାଳକୃଷ୍ଣ, କବିସୂର୍ଯ୍ୟ ବଳଦେବ ରଥ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପଦ୍ୟଗୁଡ଼ିକୁ ଆଜୀବନ ପ୍ରାଧାନ୍ୟ ଦେଇଥିବା ଏବଂ ଗାଇଥିବା କଣ୍ଠଶିଳ୍ପୀ ହେଉଛନ୍ତି ବାଣୀକଣ୍ଠ ପଦ୍ମଶ୍ରୀ ନିମାଇଁଚରଣ ହରିଚନ୍ଦନ । ସେ ହିଁ ଓଡ଼ିଶାର ପ୍ରଥମ ପେସାଦାର ଗାୟକ । ଶୈଶବରେ ଆରମ୍ଭ ହୋଇଥିଲା, ତାଙ୍କର ଗାୟକ ଜୀବନ । ନିଜର ଦାଦା ତଥା ଓଡ଼ିଶାର ବିଶିଷ୍ଟ ସଂଗୀତ ଗୁରୁ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ ଥିଲେ, ତାଙ୍କର ପ୍ରଥମ ଗୁରୁ । ଗୋକୁଳଚନ୍ଦ୍ରଙ୍କ ଠାରୁ ହାରମୋନିଅମରେ ଓଡ଼ିଶୀ, ଛାନ୍ଦ, ଜଣାଣ ଆଦି ଶିକ୍ଷା କରିବା ପରେ ଆର୍ତ୍ତବନ୍ଧୁ ପାତ୍ରଙ୍କ ଠାରୁ ସେ ସଂଗୀତ ଶିକ୍ଷା ଲାଭ କରିଥିଲେ । କଟକର ବିଖ୍ୟାତ ତବଲାବାଦକ ଜଗମୋହନ ନାୟକଙ୍କର ମଧ୍ୟ ସେ ଶିଷ୍ୟ ।
ବାଣୀକଣ୍ଠଙ୍କ କଣ୍ଠରୁ ସୁର ସମ୍ପନ୍ନ କରିଥିଲେ କଟକର ହିନ୍ଦୁସ୍ତାନୀ ସଂଗୀତ ଗୁରୁ ମାଧୋ ରାଓ । ଏହିଭଳି କେନ୍ଦ୍ରାପଡ଼ା ଓ କଟକରେ ସଂଗୀତ, ବାଦ୍ୟ-ଯନ୍ତ୍ର ଆଦିରେ ତାଲିମ ନେବା ପରେ ଅଧିକ ଶିକ୍ଷା ପାଇଁ ସେ କୋଲକାତା ଯାଇଥିଲେ । ସେତେବେଳେ କଟକରେ ବେତାର କେନ୍ଦ୍ର ସ୍ଥାପିତ ହୋଇନଥିଲା । ୧୯୩୪ରେ କୋଲକାତା ବେତାର କେନ୍ଦ୍ରରେ ସେ ଗାଇବା ଆରମ୍ଭ କରିଥିଲେ । ତାହା ପୂର୍ବରୁ “ହିଜ୍‌ ମାଷ୍ଟର୍ସ ଭଏସ୍‌’ ଗ୍ରାମ୍‌ଫୋନ କମ୍ପାନୀ ପାଇଁ ଅବଶ୍ୟ ସେ ଏକାଧିକ ଗୀତ ଗାଇସାରିଥିଲେ ।
ଏକ ଜମିଦାର ପରିବାରରେ ଜନ୍ମ ହୋଇଥିଲେ ହେଁ ବାଣୀକଣ୍ଠଙ୍କ ଶୈଶବ ଘୋର ଦାରିଦ୍ର୍ୟ ମଧ୍ୟରେ କଟିଥିଲା । ପିତା ରୁଗ୍‌ଣ ଥିଲେ । ଶୈଶବରେ ପାଠ ଛାଡ଼ିବାକୁ ପଡ଼ିଥିଲା । ପରିବାର ଭରଣପୋଷଣ ପାଇଁ ଏକଦା ଯାତ୍ରୀ ପରିବହନ ବ୍ୟବସାୟ କରି ବିପୁଳ କ୍ଷତି ସହିଥିଲେ । କଟକର ପ୍ରତିଷ୍ଠିତ ବ୍ୟକ୍ତି ଡ.ପ୍ରାଣକୃଷ୍ଣ ପରିଜା, ଡ.ଆର୍ତ୍ତବଲ୍ଲଭ ମହାନ୍ତି, ନିତ୍ୟାନନ୍ଦ କାନୁନଗୋ ଆଦିଙ୍କ କନ୍ୟାମାନଙ୍କୁ ଘରୋଇ ଭାବେ ସଂଗୀତ ଶିକ୍ଷା ଦେଇ ସେ ବେତନ ବାବଦକୁ ମାସିକ ଦେଢ଼ ଶହ ଟଙ୍କା ପାଉଥିଲେ ବୋଲି ଜଣାଯାଏ । ବାଣୀକଣ୍ଠଙ୍କ ଭଜନ, ଜଣାଣ, ଛାନ୍ଦ, ଚଉପଦୀ, ଚମ୍ପୁ ଆଦି ଓଡ଼ିଶାରେ ବିଶେଷ ଭାବେ ଲୋକପ୍ରିୟ । ଅଗଣିତ ଓଡ଼ିଆଙ୍କୁ ନିଜର କଣ୍ଠ ଦ୍ୱାରା ମନ୍ତ୍ରମୁଗ୍ଧ କରିରଖିଥିବା କଣ୍ଠଶିଳ୍ପୀ ସେ । ଆଠଗଡ଼ ରାଜ ପରିବାରର ଲକ୍ଷ୍ମୀପ୍ରିୟାଙ୍କୁ ସେ ବିବାହ କରିଥିଲେ । ପୁରୀର ଗଜପତି ମହାରାଜା, ତାଙ୍କୁ ଶ୍ରୀମନ୍ଦିରରେ ଆଜୀବନ ଚାମର ସେବାର ସୁଯୋଗ ପ୍ରଦାନ କରିଥିଲେ । ୧୯୭୦ ପରଠାରୁ ସେ ପୁରୀରେ ସ୍ଥାୟୀ ଭାବେ ବାସ କରିବା ସହ ପ୍ରତି ଦିନ ମନ୍ଦିରରେ ଚାମର ସେବା କରିବା ସହ ଜଣାଣ ଗାଉଥିଲେ । ଶ୍ରୀଜଗନ୍ନାଥଙ୍କ ପାଇଁ ସେ ନିଜେ ଲେଖି ନିଜେ ଗାଇଥିଲେ – “ହେ ଜଗନ୍ନାଥ । ତୁମ ବାହାଡ଼ୁାରେ ମୋତେ ବାହୁଡ଼ାଇ ନିଅ । ତାହା ହିଁ ଘଟିଥିଲା । ୨୦ ଜୁଲାଇ ୧୯୮୩ ବାହୁଡ଼ା ଯାତ୍ରା ବେଳେ ତାଙ୍କର ଦେହାନ୍ତ ହୋଇଥିଲା । ସେ ସର୍ବଦା କହୁଥିଲେ ଓଡ଼ିଶୀ ଗୀତ, ଛାନ୍ଦ, ଜଣାଣ, ଭଜନ ଆଦିର ପ୍ରସାର ନ ହେଲେ ଆମେ ନିଜର ସଂସ୍କୃତିକୁ ହରାଇବସିବା । ୧୯୦୧ ଜୁଲାଇ ୯ ତାରିଖରେ କେନ୍ଦ୍ରାପଡ଼ାରେ ଜନ୍ମ ହୋଇଥିଲେ ଏହି ମହାନ କଣ୍ଠଶିଳ୍ପୀ ।
ଡ଼ଃ.ଅରୁନ୍ଧତୀ ଦେବୀ
ଦୂରଭାଷ: ୯୯୩୭୧୭୨୮୧୦

Launching Ceremony of “AYUSHMAN BHARAT

Comments are closed.