୧୯୦୪ ମସିହା ଅଗଷ୍ଟ ୯ରେ ଜଗତସିଂପୁରରେ ଜନ୍ମିତା ସରଳା ଦେବୀ ଓଡିଶାର ଜଣେ ସୁଲେଖିକା ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ଘରେଘରେ ପରିଚିତ । ନାରୀ ଶିକ୍ଷା ତଥା ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲଢିବା ପାଇଁ ହେଉଥିବା ଆନ୍ଦୋଳନର ସେ ଥିଲେ ମୁଖ୍ୟ ପୁରୋଧା । ବିଧାୟିକା ରୂପେ ସରଳାଦେବୀଙ୍କ କାର୍ଯ୍ୟକାଳ ଥିଲା ୧୯୩୬ରୁ ୧୯୪୧ ମସିହା ପର୍ଯ୍ୟନ୍ତ । ସରଳାଦେବୀ ବିଧାନସଭାରେ ଓଡ଼ିଆ ଓ ଇଂରାଜୀରେ ଭାଷଣ ଦେଉଥିଲେ । ଏହି ସମୟଟି ସମଗ୍ର ବିଶ୍ୱରେ ଓ ଭାରତର ଇତିହାସରେ ଏକ ଘଡ଼ିସନ୍ଧିର ମୁହୂର୍ତ୍ତ ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଅନ୍ୟ ରାଷ୍ଟ୍ରମାନେ ପ୍ରସ୍ତୁତ ହେଉଥିବା ବେଳେ ଭାରତର ମୁକ୍ତିସଂଗ୍ରାମ ଶେଷ ପର୍ଯ୍ୟାୟରେ ଥିଲା । ନାରୀଶିକ୍ଷାର ପ୍ରସାର, ମହିଳାମାନଙ୍କର ବିକାଶ, ବାଲ୍ୟବିବାହ ପ୍ରଥାର ଉଚ୍ଛେଦ, ଯୌତୁକ ପ୍ରଥାର ପ୍ରତିବାଦ ଇତ୍ୟାଦି ବିଲ୍ ସରଳାଦେବୀ ବିଧାନସଭାରେ ଆଗତ କରିଥିଲେ । ବାଲ୍ୟବିବାହ ବିରୋଧରେ “ଶାରଦା ଆଇନ’ ପାରିତ ହେବା କ୍ଷେତ୍ରରେ ତାଙ୍କର ଅବଦାନ ରହିଥିଲା । ନାରୀମାନଙ୍କ ବହୁବିଧ ବିକାଶ ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ । କଟକ ନିର୍ବାଚନମଣ୍ଡଳିରୁ ନିର୍ବାଚିତା ପ୍ରଥମ ବିଧାୟିକା ସରଳାଦେବୀଙ୍କର ନିଷ୍ଠା ଓ କର୍ମପ୍ରବଣତା ସେକାଳର ନଥିପତ୍ରକୁ ଅନୁଧ୍ୟାନ କଲେ ଜଣାପଡ଼ିଥାଏ । ତାଙ୍କ ଉଦ୍ୟମ ଫଳରେ ବାଲ୍ୟବିଧବା ଓ ପୋଇଲି ପ୍ରଥାର ଉଚ୍ଛେଦ ହୋଇଥିଲା । ବାଲ୍ୟବିଧବାମାନେ ପୁନର୍ବିବାହ କରିବାର ସୁଯୋଗ ପାଇଁ ସେ ପଥ ପରିଷ୍କୃତ କରିଥିଲେ । ନାରୀମାନଙ୍କର ସ୍ୱାର୍ଥରକ୍ଷା ଲାଗି ସେ ସ୍ୱର ଉତ୍ତୋଳନ କରି ସଫଳତା ଲାଭ କରିଥିଲେ । ବିଧାୟିକା ଭାବରେ ତାଙ୍କର ବକ୍ତୃତା ଓ ବିବରଣୀ ହିଁ ତାଙ୍କୁ ଜଲେ ଅଦ୍ୱିତୀୟା ପ୍ରତିଭା ଭାବେ ପ୍ରତିପାଦିତ କରିଥିଲା । ଏହି ମହାନ ନାରୀନେତ୍ରୀଙ୍କର ୪ ଅକ୍ଟୋବର ୧୯୮୬ ମସିହାରେ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ।