ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ର ପଞ୍ଚଦଶ ମ୍ୟାଚ୍ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ। କେଏଲ୍ ରାହୁଲଙ୍କ ସୁପର ଜାଏଣ୍ଟସ ନିଜର ଚତୁର୍ଥ ମ୍ୟାଚ୍ରୁ ତୃତୀୟ ବିଜୟ ଲକ୍ଷ୍ୟରେ ରହିଥିଲା ବେଳେ ଫାଫ୍ ଡୁପ୍ଲେସିସ୍ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ଦ୍ବିତୀୟ ବିଜୟ ସନ୍ଧାନରେ ରହିଛି। ଲକ୍ଷ୍ନୌ ଏବେ ପଏଣ୍ଟ ତାଲିକାର ତୃତୀୟରେ ରହିଥିଲା ବେଳେ ବାଙ୍ଗାଲୋର ସପ୍ତମରେ ରହିଛି। ଅବଶ୍ୟ ଉଭୟ ଦଳ ନିଜ ଘରୋଇ ମାଟିରେ ଜିତିଥିଲା ବେଳେ ବାହାରେ ହାର୍ ମାନିଛନ୍ତି। ଲକ୍ଷ୍ନୌ ଘରେ ଦୁଇଟି ମ୍ୟାଚ୍ ଖେଳି ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍ରେ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟ୍ରେ ପରାସ୍ତ କରିଥିଲା ବେଳେ ଚେନ୍ନାଇରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ୧୨ ରନ୍ରେ ହାରିଯାଇଛି। ସେହିପରି ବାଙ୍ଗାଲୋର ଘରେ ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟ୍ରେ ପରାସ୍ତ କରିଥିଲା ବେଳେ କୋଲ୍କାତାରେ ନାଇଟ୍ ରାଇଡର୍ସଠାରୁ ୮୧ ରନ୍ର ପରାଜୟ ବରଣ କରିଛି। ତେଣୁ ଉଭୟ ଦଳ ସୋମବାର ବିଜୟ ଲକ୍ଷ୍ୟରେ ଥିବାରୁ ମ୍ୟାଚ୍ ପ୍ରତିଦ୍ବନ୍ଦ୍ବିତାମୂଳକ ହେବ। ତେବେ ଶକ୍ତିଶାଳୀ ଲକ୍ଷ୍ନୌ ଦଳ ବିପକ୍ଷରେ ମ୍ୟାଚ୍ ଜିତିବାକୁ ହେଲେ ବାଙ୍ଗାଲୋର ଦଳ ବ୍ୟାଟର୍ଙ୍କଠୁ ଉନ୍ନତ ପ୍ରଦର୍ଶନ ଏବଂ ଡେଥ୍ ଓଭର ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ ଆଶା କରିବ। ବିଶେଷକରି ଡେଥ୍ ଓଭର ବୋଲିଂ ବାଙ୍ଗାଲୋର ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ୱାନିନ୍ଦୁ ହସରଙ୍ଗା ଏବଂ ଜୋସ୍ ହାଜେଲ୍ଉଡ୍ଙ୍କ ଅନୁପସ୍ଥିତି ଦଳକୁ ଦୁର୍ବଳ କରିଦେଇଛି। ତଥାପି ରିସି ଟପ୍ଲେଙ୍କ ବଦଳ ଖେଳାଳି ଭାବେ ସାମିଲ ହୋଇଥିବା ୱେନ୍ ପାର୍ନେଲ ଉଭୟ ବୋଲିଂ ଓ ବ୍ୟାଟିଂରେ ଉପଯୋଗୀ ହୋଇପାରିବେ ବୋଲି ଦଳ ଆଶା ରଖିଛି। ସେହିପରି ବ୍ୟାଟିଂରେ ଡୁପ୍ଲେସିସ୍, ବିରାଟ କୋହଲି ଏବଂ ଦୀନେଶ କାର୍ତିକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ସ୍ପିନରମାନେ ଲକ୍ଷ୍ନୌକୁ ବିଜୟ ଦେବାର ସମ୍ଭାବନା ରଖିଛନ୍ତି ରାହୁଲ। ରବି ବିଷ୍ଣୋଇ, କୃନାଲ ପାଣ୍ଡ୍ୟା ଏବଂ ଅମିତ ମିଶ୍ରା ପ୍ରଭାବୀ ବୋଲିଂ କରୁଥିବାରୁ ଲକ୍ଷ୍ନୌ ବିଜୟ ଅସମ୍ଭବ ହେବନି। ପୁଣି ଦ୍ରୁତ ବୋଲିଂରେ ଇଂଲଣ୍ଡର ମାର୍କ ଉଡ୍ଙ୍କ ସହିତ ଭାରତୀୟ ଆୱେସ ଖାନ୍ ପ୍ରତିପକ୍ଷକୁ ରୋକିବାକୁ ସମର୍ଥ ହୋଇପାରିବେ। ବ୍ୟାଟିଂରେ ରାହୁଲଙ୍କ ସହିତ କାଇଲ ମାୟର୍ସ, ନିକୋଲାସ୍ ପୂରନ, ଦୀପକ ହୁଦା, ମାର୍କସ ଷ୍ଟୋଇନିସ୍, କୃନାଲ ପାଣ୍ଡ୍ୟାଙ୍କ ଉପରେ ଦଳ ନିର୍ଭର କରିବ।

Comments are closed.