ଭୁବନେଶ୍ୱର : ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତାୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା ସହ ବ୍ୟୟମଞ୍ଜୁରୀ ବିଧେୟକ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଦିବସ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୧୩ ତାରିଖରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗୃହରେ ଉପସ୍ଥାପିତ ହେବ। ଏହାପରେ ମାର୍ଚ୍ଚ ମାସ ୩୧ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଉପସ୍ଥାପିତ ହେବ। ତେବେ ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହକୁ ସରଗରମ୍ କରିବା ନେଇ ଆଶା କରାଯାଉଥିବା ବେଳେ ଶାସକ ଦଳ ମଧ୍ୟ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିପାରେ। ତେବେ ସବୁ ପ୍ରକାରର ଗଠନମୂଳକ ଆଲୋଚନା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।
ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ଦ୍ଵିତୀୟ ପାଳି ଅଧିବେଶନ ମଧ୍ୟ ବେଶ ସରଗରମ ରହିବ ବୋଲି ଜଣ ପଡୁଛି I ଏ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଦଳର ନେତା କହିଛନ୍ତି, ପୁଣି ଥରେ ଗୃହରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ଉଠାଇବ ଦଳ । ନବ ଦାସ ହତ୍ୟାକାଣ୍ଡ ସମର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ନିର୍ଯ୍ୟାସ ବାହାରି ପାରିନି । ଏହି ହତ୍ୟା ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିଛି କଂଗ୍ରେସ ।
ସେପଟେ ୨୦୨୩-୨୪ ପାଇଁ ଆଗତ ୨ ଲକ୍ଷ ୩୦ ହଜାର କୋଟିର ବାର୍ଷିକ ବଜେଟ୍ ଉପରେ ଗୃହରେ ବିଭାଗୀୟ ଷ୍ଟାଣ଼୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବ । ଆଇନ ଶୃଙ୍ଖଳା ନାଁରେ ରାଜରାସ୍ତାରେ ଅରାଜକତା କରିଥିବା ବିରୋଧୀଦଳ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଗୃହ ଅଚଳ କରିବାକୁ ରଣନୀତି କରିଛି । ସେହିପରି ଗ୍ୟାସ ଦର ବୃଦ୍ଧି, କୃଷକ ମାରଣ ନୀତି ପ୍ରସଙ୍ଗରେ ବିଜେପିକୁ ଘେରିବ ବିଜେଡି ।ମାର୍ଚ୍ଚ ୩୧ ତାରିଖରେ ଗୃହରେ ପାରିତ ହେବ ଆସନ୍ତା ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ । ଅନ୍ୟପକ୍ଷରେ ଶାସକ ଦଳ ମଧ୍ୟ ରେଳବାଇ, ଟେଲିକମ୍ କ୍ଷେତ୍ରରେ ଓଡ଼ିଶା ପ୍ରତି ଅବହେଳା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କ କୃଷକମାରଣ ନୀତି, ବାରମ୍ବାର ଦାବି ସତ୍ତ୍ବେ ଧାନର ଏମଏସପି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ନିରବତାକୁ ଗୃହରେ ଉଠାଇପାରେ। ସେହିପରି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନକୁ କେନ୍ଦ୍ରର ନା, ବକେୟା ସବ୍ସିଡି ପ୍ରଦାନରେ ବିଳମ୍ବ ଏବଂ ଏଲ୍ପିଜି ଏବଂ ଅନ୍ୟ ନିତ୍ୟ ବ୍ୟବହାର ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ବିଜେଡି ଗୃହରେ ପ୍ରାଧାନ୍ୟ ଦେବ। ରାଜ୍ୟସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ରହିଥିବା ବେଳେ ଆମେ ଏହାକୁ ଗୃହରେ ଉତ୍ଥାପନ କରିବୁ ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।

Comments are closed.