ନୂଆଦିଲ୍ଲୀ : ୩ ପହଲଗାମ ଆତଙ୍କବାଦୀ ସଫା । ଆର୍ମି, ସିଆରପିଏଫ୍, ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନ ମହାଦେବ ରେ ୩ ଆତଙ୍କୀକୁ ନିପାତ କରାଯାଇଛି । ଏଥିରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହସିମ ମୂଷା ସହିତ ସୁଲେମାନ,ଆଫ୍ଗାନ ଏବଂ ଜିବ୍ରନ ଅଛନ୍ତି । ଆଜି ସଂସଦରେ ଏହା ଥିଲା ଅପରେସନ ସିନ୍ଦୂର’ ବିତର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ମନ୍ତବ୍ୟ । ଏହାସହ ପହଲଗାମ ଆକ୍ରମଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ମତ ରଖିଛନ୍ତି । ସେ କହିଛନ୍ତି ଅପରେସନ ମହାଦେବ’ରେ ପହଲଗାମ ଆକ୍ରମଣରେ ଯେଉଁ ୩ ଆତଙ୍କୀ ଆକ୍ରମଣ କରିଥିଲେ ସମସ୍ତେ ମୃତ । ଯେଉଁ ୩ ଆତଙ୍କବାଦୀ ଟୁରିଷ୍ଟଙ୍କୁ ମାରିଥିଲେ, ଆମେ ସେମାନଙ୍କୁ ମାରିଛୁ । ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ର ମିଳିତ ଅପରେସନରେ ସଫଳତା ପାଇଛି । ସାଧାରଣ ନାଗରିକଙ୍କୁ ଧର୍ମ ପଚାରି ପରିବାର ସାମ୍ନାରେ ମାରିଥିଲେ । ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ସେମାନଙ୍କୁ ଘରେ ପଶି ମାରିଲୁ । ଆଉ ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ ।
ପହଲଗାମକୁ ୩ ଆତଙ୍କବାଦୀ କେଉଁ ବାଟ ଦେଇ ଆସିଥିଲେ ଗୃହକୁ ଜଣାଇଛନ୍ତି ଅମିତ ଶାହା । ସେମାନେ ୨ଟି ଏକେ-୪୭ ଓ ଗୋଟିଏ କାର୍ବାଇନ ବ୍ୟବହାର କରିଥିଲେ । ଯିଏ ଏହି ୩ ଆତଙ୍କୀଙ୍କୁ ଆଶ୍ରୟ ଦେଇଥିଲେ NIA ଗିରଫ କରି ସାରିଛି । ୩ ଆତଙ୍କୀଙ୍କ ମରଶରୀର ଶ୍ରୀନଗରରେ ପହଞ୍ଚିବା ପରେ ଚିହ୍ନଟ ହୋଇସାରିଛି । ସେମାନେ ବ୍ୟବହାର କରିଥିବା କାଟ୍ରିଜର FSL ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଚଣ୍ଡିଗଡ଼ରେ ହୋଇଥିବା ଟେଷ୍ଟରୁ ପୂରା ପ୍ରମାଣିତ ହୋଇଛି । ମୃତ ସମସ୍ତ ଆତଙ୍କବାଦୀ ଲସ୍କର ଏ ତୋଏବାର ସଦସ୍ୟ ।
ଅପରେସନ ସିନ୍ଦୂରକୁ ନେଇ ସଂସଦରେ ମଙ୍ଗଳବାର କ୍ରମାଗତ ୨ୟ ଦିନ ପାଇଁ ଆରମ୍ଭ ହୋଇଛି ବିତର୍କ । ଏହି ବିତର୍କରେ ଉଭୟ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ଅଂଶଗ୍ରହଣ କରିଛନ୍ତି । ପହଲଗାମ ଆକ୍ରମଣରେ ଯେଉଁମାନେ ଆମ ୨୬ ନାଗରିକଙ୍କୁ ହତ୍ୟା କରିଥିଲେ ସେମାନ ଅପରେସନ ମହାଦେବରେ ନିହତ ହୋଇଛନ୍ତି ।
ଅମିତ ଶାହା କହିଛନ୍ତି, ସେନାକୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା । ସେମାନେ ଆତଙ୍କବାଦୀଙ୍କ ଠିକଣାକୁ ଚୂରମାର କରିଦେଇଛନ୍ତି । ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ଆମେ ସେମାନଙ୍କ ଘରେ ପଶି ମାରିଲୁ । ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ । ଆତଙ୍କୀମାନଙ୍କୁ ମାରି ଭାରତୀୟ ସେନା, ସିଆରପିଏଫ, ଜମ୍ମୁ-କଶ୍ମୀର ପୋଲିସ ମିଳିତ ଭାବେ ଅପରେସନ ମହାଦେବକୁ ସଫଳ କରାଇଛନ୍ତି।
ଏହି ବିତର୍କରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରାହ୍ନ ୫ଟାରେ ନିଜର ମନ୍ତବ୍ୟ ରଖିବେ ବୋଲି ସୂଚନା ମିଳିଛି । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଅପରାହ୍ନ ୧ଟା ୩୦ରେ ଏବଂ କେ.ସି. ବେଣୁଗୋପାଳ ଅପରାହ୍ନ ୨ଟା ୩୦ରେ ମନ୍ତବ୍ୟ ରଖିବେ ।