ଅନଲାଇନ ଖେଳ ହେଲା କାଳ

କାଳିଆପାଣି : ଅନଲାଇନ୍‌ ଖେଳ ନେଲା ପୁଣି ଏକ ଜୀବନ । ଅନଲାଇନରେ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇଲେ ଖଣି କର୍ମଚାରୀ । ଏହାପରେ ଋଣକରି ଅନଲାଇନ ଖେଳରେ ଟଙ୍କା ଲଗାଇ ସର୍ବସ୍ୱାନ୍ତ ହେଲେ । ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ । ମୃତ ଯୁବକ ହେଲେ ଶ୍ରୀନିବାସ ଓରଫ୍‌ ଲିଙ୍କନ (୨୨)। ତାଙ୍କ ଘର କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ କାଦୁଅବନ୍ଦୀ ଗାଁରେ । ନିଜ ଶୋଇବା ଘରୁ ଝଲନ୍ତା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର ହୋଇଛି।

ସୂଚନାନୁସାରେ,କାଳିଆପାଣି କାଦୁଅବନ୍ଦୀ ଗାଁର ଜଗବନ୍ଧୁ ନାୟକଙ୍କର ଏକମାତ୍ର ପୁଅ ହେଉଛି ଲିଙ୍କନ । ସେ ଇମ୍ଫା ଖଣିରେ କାମକରୁ ଥିଲେ । ଲିଙ୍କନ କିଛି ମାସ ପୂର୍ବରୁ ମୋବାଇଲ୍‌ରେ ‘ଦମନ’ ଖେଳି ଆସୁଥିଲେ । ଏହି ନିଷିଦ୍ଧ ଆପ୍‌ରେ ସେ ଲକ୍ଷାଧିକ ଟଙ୍କା ହରାଇଥିବା ଜଣାଯାଇଛି। ଏପରିକି ମା’ଙ୍କ ଜରିଆରେ ବିଭିନ୍ନ ଗ୍ରୁପ୍‌ରୁ ସେ ଋଣ ଉଠାଇଥିଲେ। ମାତ୍ର ସବୁ ଟଙ୍କା ସେ ଅନଲାଇନ ଜୁଆରେ ଉଡାଇ ଦେଇଥିଲେ । ଏହାକୁ ନେଇ ଘରେ ପାଟିତୁଣ୍ଡ ହେବାରୁ ସେ ଅନେକ ସମୟରେ ଚିନ୍ତିତ ରହୁଥିଲେ। ଘଟଣାଦିନ ସେ ଖଣିରୁ ଫେରି ଖାଇସାରି ନିଜ ରୁମକୁ ଶୋଇବାକୁ ଯାଇ ଘରେ ଥିବା ପଙ୍ଖାର ଝୁଲି ପଡ଼ିଥିଲେ । ପରିବାର ଲୋକଙ୍କ ଠାରୁ ଖବର ପାଇ କାଳିଆପାଣି ପୁଲିସ ଆଜି ଶବ ଜବତ କରି ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୧୩/୨୪ ରୁଜୁ କରିଛି। ଏହି ଘଟଣାରେ ଲିଙ୍କନ କେତେ ଟଙ୍କା ଅନଲାଇନ ଖେଳରେ ଲଗାଇଛନ୍ତି ସେ ନେଇ ପୋଲିସ ଟଙ୍କା ବ୍ୟାଙ୍କ ପାସବୁକ ଯାଞ୍ଚ କରୁଛି ।

Govt

Comments are closed.