ଅଗଷ୍ଟ କ୍ରାନ୍ତି ଦିବସ

ଆଜି ଅଗଷ୍ଟ ୯ ତାରିଖ । ଆଜିର ଦିନକୁ ସମଗ୍ର ଭାରତବର୍ଷରେ “କ୍ରାନ୍ତି ଦିବସ’ ଭାବେ ପାଳନ କରାଯାଏ । ଇଂରେଜମାନଙ୍କ ବିରୋଧରେ ଭାରତର ଶେଷ ଲଢ଼େଇ ଥିଲା ଭାରତ ଛାଡ଼ ଆନ୍ଦୋଳନ । ଦେଶ ମାତୃକାଳକୁ ସ୍ୱାଧୀନ କରିବା ପାଇଁ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ମହାତ୍ମା ଗାନ୍ଧୀ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲେ । ସେ ଦିନ ମହାତ୍ମା ଗାନ୍ଧୀଙ୍କ “ଭାରତ ଛାଡ଼’ ଆହ୍ୱାନ ଓ “କର ବା ମର’ ମନ୍ତ୍ରରେ ସାରା ଦେଶ ଯେମିତି ଦୀକ୍ଷିତ ହୋଇଯାଇଥିଲା । ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଅନୁପ୍ରାଣିତ କରିଥିଲା ଏହି ଡାକ । ସାରା ଭାରତରେ ବ୍ରିଟିଶ ଶାସନ ବିରୋଧୀ ଆନ୍ଦୋଳନ ନିଆଁ ଚରି ଯାଇଥିଲା । ଅଗଷ୍ଟ ୮ ତାରିଖରେ ବମ୍ବେରେ ଅନୁଷ୍ଠିତ ସର୍ବଭାରତୀୟ କଂଗ୍ରେସ କମିଟି ବୈଠକର ନିଷ୍ପତ୍ତି ଅନୁସାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେଇ ଦିନରୁ ହିଁ ଭାରତର ସ୍ୱାଧୀନତା ପାଇଁ ପଥ ପ୍ରସ୍ତୁତ ହୋଇଯାଇଥିଲା । ସେହି ଐତିହାସିକ ଗୋଓ୍ୱାଲିଆ ଟ୍ୟାଙ୍କ ମଇଦାନ ତା ପର ଠାରୁ “ଅଗଷ୍ଟ କ୍ରାନ୍ତି ମଇଦାନ’ ଭାବେ ପରିଚିତ ହେଲା । ଦେଶବାସୀଙ୍କୁ ମହାତ୍ମାଙ୍କ ଐତିହାସିକ ଆହ୍ୱାନ ଥିଲା କର ବା ମର । ଆବାଳ – ବୃଦ୍ଧ – ବନିତା ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକୁ ଦମନ କରିବା ପାଇଁ ଇଂରେଜ ସରକାର କଂଗ୍ରେସକୁ ନିଷିଦ୍ଧ କରିଥିଲେ ।
ବହୁ ସଂଗ୍ରାମୀ ନେତାଙ୍କୁ ଗିରଫ କରାଯାଇଥିଲା । ଉତ୍ତର ପ୍ରଦେଶ, ବିହାର, ବେଙ୍ଗଲ, ବମ୍ବେ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତମଲୁକ, ସାତାରା, ଧାରଓ୍ୱାଡ଼, ବାଲେଶ୍ୱର, ତାଳଚେର ଆଦି ସ୍ଥାନରେ ଏହି ଆନ୍ଦୋଳନର ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା । ଇଂରେଜ ସରକାର ବିରୋଧରେ ଉତ୍‌କ୍ଷିପ୍ତ ଲୋକେ ସବୁଠି ବିକ୍ଷୋଭ ଓ ହରତାଳ କରିଥିଲେ । ରେଳ ଷ୍ଟେସନ, ପୁଲିସ ଷ୍ଟେସନ, କୋର୍ଟ କଚେରୀ ଆଦିରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଟେଲିଗ୍ରାଫ ଓ ରେଳ ଧାରଣା ଉପୁଡ଼ାଯାଇଥିଲା । ଶେଷରେ ବ୍ରିଟିସ ସରକାର ଆନ୍ଦୋଳନକୁ ଦମନ କରିବା ପାଇଁ ସେନା ବାହିନୀକୁ ଆଦେଶ ଦେଇଥିଲେ । ସଂଗ୍ରାମୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା ଓ ଲାଠି ପ୍ରହାର ହୋଇଥିଲା । ବୃଦ୍ଧ ଓ ଶିଶୁମାନେ ବି ଏଥିରୁ ବାଦ ପଡ଼ିନଥିଲେ । ଶତାଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ । ସେହି ବର୍ଷ ଡିସେମ୍ବର ମାସ ସୁଧା ଷାଠିଏ ହଜାରରୁ ଅଧିକ ଲୋକଙ୍କୁ ଜେଲରେ ଭର୍ତ୍ତିର୍ କରାଯାଇଥିଲା । ଏହି ଆନ୍ଦୋଳନ ବ୍ରିଟିସ ସରକାରକୁ ମୂଳରୁ ଅଗ ପର୍ଯ୍ୟନ୍ତ ଦୋହଲାଇ ଦେଇଥିଲା । ଫଳରେ ଭାରତ ଛାଡ଼ିବା ପାଇଁ ଫିରଙ୍ଗୀ ସରକାର ଚିନ୍ତା କରିଥିଲା । ମହାତ୍ମାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଆମ ଦେଶର ସ୍ୱାଧୀନତା ଇତିହାସରେ ଏକ ଅଲିଭା ଅଧ୍ୟାୟ ହୋଇରହିଛି ।
ଡ଼ଃ.ଅରୁନ୍ଧତୀ ଦେବୀ
ଦୂରଭାଷ : ୯୯୩୭୧୭୨୮୧୦

Launching Ceremony of “AYUSHMAN BHARAT

Comments are closed.