ବିଜେପି ମୁହଁରେ ବାନ୍ଧିଲା କଳାପଟି, କଂଗ୍ରେସର ହଟ୍ଟଗୋଳ

0

ସମୟ ଲାଇଭ୍‍,୧୫/୧୧: ବିଧାନସଭାରେ ନୂଆ ସରକାରଙ୍କ ଶୀତକାଳୀନ ଅଧିବେଶନର ଆଜି ତୃତୀୟ ଦିନ। ତେବେ ଦୁଇଦିନ ଧରି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହ ଆରମ୍ଭରୁ ହିଁ ବିରୋଧୀ ହୋହଲ୍ଲା କରିବା ଫଳରେ ପ୍ରଶ୍ନକାଳ ବାରମ୍ବାର ବାତିଲ କରାଯାଇଥିଲା। ତୃତୀୟ ଦିନରେ ବିଜେପି ସଦସ୍ୟ ମୁହଁରେ କଳାପଟି ବାନ୍ଧି ଠିଆ ହୋଇ ରହିଥିଲେ। ବାଚସ୍ପତି ସେମାନଙ୍କୁ ବସିବାକୁ କହିବା ପରେ ସେମାନେ ମୁହଁରୁ କଳାପଟି ନଖୋଲି ବସିରହିଥିଲେ। ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ଏପରି ପ୍ରତିବାଦ ପ୍ରଦର୍ଶନ କରିଛି ବିଜେପି। ଅନ୍ୟପଟେ ସରକାରୀ ଲିଫ୍‍ଲେଟ୍‍ରେ ଗାନ୍ଧୀଜୀଙ୍କ ମୃତ୍ୟୁ ଆକସ୍ମିକ ୋହଇଥିବା କାହିଁକି ଲେଖାଯାଇଥିଲା ବୋଲି ବିରୋଧୀ ଦଳ ପ୍ରଶ୍ନ କରିଥିଲେ। ନାଥୁରାମ୍‍ ଗଡ଼ସେ ଗାନ୍ଧୀଜୀଙ୍କୁ ହତ୍ୟା କରିଥିବା ସମସ୍ତେ ଜାଣିଥିବାବେଳେ ସରକାରୀ ଲିଫ୍‍ଲେଟ ଏପରି କାହିଁକି ଲେଖାଯାଇଛି ତା’ର ଉତ୍ତର ରଖିବାକୁ ଦାବି କରିଛନ୍ତି ବିରୋଧୀ।

ତେବେ ଏହି ପ୍ରସଙ୍ଗକୁ ଦେଇ ବିରୋଧୀ ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ଗଅହକୁ ଅଧଘଣ୍ଟା ପାଇ ମୁଲତବୀ ରଖିବା ସହ ସର୍ବଦଳୀୟ ବୈଠକ ଡ଼ାକିଥିଲେ। ଏହି ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚେତକ ଓ ବିରୋଧୀଦଳ ନେତା ଉପସ୍ଥିତ ଥିଲେ।

ପ୍ରଥମ ଦିନରେ ସ୍ୱର୍ଗତ ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ। ସେହିପରି ଅଧିବେଶନର ପ୍ରଥମଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହୋଇଥିଲା। ପରେ ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ହୋହଲ୍ଲା କରିବାରୁ ପ୍ରଥମଦିନ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇପାରିନଥିଲା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ରାଜ୍ୟସରକାରଙ୍କୁ ଘେରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।

ସୂଚନା ଥାଉ କି, ଏହି ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଏଥିମଧ୍ୟରୁ ୨୧ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି। ସେହିପରି ନଭେମ୍ବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବ।

Leave A Reply

Your email address will not be published.