ମୂଲ୍ୟର ଅର୍ଥ

ସମୟ ଲାଇଭ,୯/୧୧:ମାଧବ ହରିପୁରର ଏକ ଘୋଡାଗାଡିବାଲା ଥିଲା । ସେ ନିକଟସ୍ଥ ସହରକୁ ଗାଡିରେ ଯାତ୍ରୀ ନେଇ ଯିବା ଆସିବା କରେ ଓ ସେହିଥିରେହିଁ ସେ ତା’ ଜୀବିକା ନିର୍ବାହ କରେ । ଦିନେ ସେ ସହରରୁ ଫେରୁଛି । ସେତେବେଳେ ତା’ ଗାଡି ଖାଲି ଥାଏ । ହରିପୁରର ଜମିଦାର ବିଶ୍ୱବନ୍ଧୁ ରାସ୍ତାରେ ଏକେଲା ଠିଆ ହୋଇଥିଲେ । ଏ ଗାଡିଟିକୁ ଦେଖି ସେ ପଚାରିଲେ, “ମାଧବ, ତୁ ଗାଁକୁ ଫେରୁଛୁ ତ? ଭଲ ହେଲା ମୁଁ ଗାଡି ଖୋଜୁଥିଲି । ବହୁତ ବେଳୁ ଖାଲି ଗାଡିଟିଏର ଅପେକ୍ଷା କରୁଥିଲି । ତୋର ଯଦି ଆଉ କେହି ଗ୍ରାହକ ନଥା’ନ୍ତି ତେବେ ମୁଁ ତୋରି ଗାଡିରେହିଁ ଯିବି ।” ମାଧବ ହସି ହସି କହିଲା, “ଆସନ୍ତୁ ଆଜ୍ଞା, ମୋ ଗାଡି ଖାଲି ଯାଉଛି ଆପଣ ଆସିଲେ ତ ଏହା ଅତି ଆନନ୍ଦର କଥା ।” ଜମିଦାର ନିଜର ଥଳୀ ଧରି ସେ ଗାଡି ଉପରେ ଯାଇ ବସିଲେ । ପୁଣି ସେ କହିଲେ, “ମୁଁ ଆଜି କରଜ ଅସୁଲ୍ କରିବାକୁ ଆସିଥିଲି । ଟିକିଏ ଡେରୀ ହୋଇଗଲା ସେଇଥିପାଇଁ ଗାଡି ଖୋଜୁଥିଲି, ଦୈବଯୋଗକୁ ତୁ ମିଳିଗଲୁ । ଭଲ ହେଲା ।”

                ଗାଡି କିଛି ବାଟ ଯିବା ପରେ ରାସ୍ତାକଡରେ ଦୋକାନୀ ଚନ୍ଦୁଲାଲ୍ ଠିଆ ହୋଇଥିଲା । ସେ ଗାଡି ଅଟକାଇ କହିଲା, “ଭାଇ ମାଧବ, ମୁଁ ଏ ଜିନିଷ ସବୁ ମୋ ଦୋକାନ ପାଇଁ କିଣି ଅନେକ ବେଳୁ ଠିଆ ହୋଇଛି । ସଂଧ୍ୟା ହେବାକୁ ବସିଲାଣି, ଖାଲି ଗାଡିଟିଏ ଆଖିରେ ପଡୁନି । ଦୟାକରି ମୋତେ ତୋ ଗାଡିରେ ନେଇ ଯା’ ।”

                ମାଧବ କହିଲା “ଆଚ୍ଛା, ଆସନ୍ତୁ ।”

                ଚନ୍ଦୁଲାଲ ତା’ର ଚାରିଟା ବଡ ବଡ ଗଣ୍ଠିଲି ଧରି ଆସି ଘୋଡାଗାଡିରେ ବସିଲା ।

                ଗାଡି ପୁଣି କିଛିବାଟ ଯିବା ପରେ ଦେଖାଗଲା ହରିପୁରର ଆଉ ଦୁଇଜଣ ବ୍ୟକ୍ତି ବଡ ଅସହାୟ ଭାବରେ ରାସ୍ତା କଡରେ ଠିଆ ହୋଇଛନ୍ତି । ସେତେବେଳକୁ ତ ସଂଧ୍ୟା ପ୍ରାୟ ହୋଇ ଆସିଲାଣି । ସେମାନେ ହେଲେ ସ୍କୁଲର ଶିକ୍ଷକ ବନବାବୁ ଓ ଅନ୍ୟଜଣକ ସେହି ଗାଁର ବାସିନ୍ଦା ଚାଷୀ ଭୋଳା । ସେମାନେ ନିର୍ନିମେଷ ନୟନରେ ଗାଡିଆଡେ ଚାହିଁଲେ । ଚିହ୍ନିଲେ ଏହା ତାଙ୍କରି ଗାଁ ଗାଡି । କିନ୍ତୁ ଦୁଇଜଣ ତ ଆଗରୁ ବସି ସାରିଛନ୍ତି । ସୁତରାଂ ସ୍ଥାନ ପାଇବାର ଆଶା ସେମାନେ ପ୍ରାୟ ଛାଡି ଦେଇଥିଲେ । କିନ୍ତୁ ଜମିଦାରଙ୍କ ଇଙ୍ଗିତରେ ମାଧବ ସେମାନଙ୍କୁ ମଧ୍ୟ ଗାଡିରେ ସ୍ଥାନ ଦେଲା । ସେମାନେ ମଧ୍ୟ ଗାଡିରେ ବସିଲେ । ଗାଡି ଚାଲିଥିବା ବେଳେ ବନବାବୁ କହିଲେ ସେ କୌଣସି ଏକ ସ୍ଥାନରେ କରଜ ଶୁଝିବା ପାଇଁ ସହରକୁ ଯାଇଥିଲେ । ଭୋଳା ତା’ର ଚାଷ ପାଇଁ ମଞ୍ଜି କିଣିବାକୁ ଯାଇଥିଲା । ଅଳ୍ପ କିଛି ଟଙ୍କା ଧାର କରି ମଞ୍ଜି କିଣି ସେ ଫେରୁଛି ।

                ସେହି ଗାଡିରେ ମାଧବ ବ୍ୟତୀତ ଆଉ ଚାରିଜଣ ବି ବସିଥା’ନ୍ତି । ପ୍ରାୟ ସଂଧ୍ୟା ବେଳକୁ ସେ ଗାଡିଟି ହରିପୁରରେ ଯାଇ ପହଁଚିଲା । ଚାରିଜଣଯାକ ନିଜ ନିଜର ଭଡା ଦେଇ ଚାଲିଗଲେ ।

                ପରଦିନ ସକାଳୁ ମାଧବ ଗାଡି ସଫା କରିବାକୁ ଯାଇ ଦେଖିଲା ସେଥିରେ କେତେଗୁଡିଏ ରୁପା ଟଙ୍କା ପଡି ରହିଛି । ସେ ଗଣି ଦେଖିଲା ପ୍ରାୟ ଅଶିଟି ରୂପା ଟଙ୍କା ଥିଲା । ସେ ଆଶ୍ଚର୍ଯ୍ୟ ହୋଇ ଭାବିଲା କାଲି ଯେଉଁମାନେ ମୋ ଗାଡିରେ ଥିଲେ ତାଙ୍କରି ଭିତରୁ ଏହା ନିଶ୍ଚୟ କାହାରି ହୋଇଥିବ । ସେ ଯାଇ ତାକୁ ତା’ ଧନ ଫେରାଇ ଦେବ । ମାଧବ ଖୁବ୍ ସାଧୁ ସ୍ୱଭାବର ଥିଲା । ସେ ଭାବିଲା ସମସ୍ତଙ୍କୁ ଯାଇ ପଚାରିଲେ ହୁଏତ କିଏ ମିଛରେ ମଧ୍ୟ ନିଜର ବୋଲି ଦାବୀ କରି ଏତକ ନେଇଯିବ । କ’ଣ କରିବ ଭାବୁ ଭାବୁ ଦିନଟିଏ ବିତିଗଲା ।
ପରଦିନ ମାଧବ ସେ ଟଙ୍କା ଗୁଡିକୁ ଗୋଟିଏ କନାରେ ବାନ୍ଧି ସିଧା ଯାଇ ସେ ଜମିଦାର ବିଶ୍ୱବନ୍ଧୁଙ୍କ ଘରେ ପହଁଚିଲା । ଜମିଦାର ବାବୁ ବାହାର ପିଣ୍ଡାରେ ବସିଥିଲେ । ମାଧବ କହିଲା, “ବାବୁ, କାଲି ସକାଳେ ମୁଁ ଗାଡି ସଫା କରିବାକୁ ଯାଇ ଦେଖିଲି ଅନେକ ଗୁଡିଏ ରୂପା ଟଙ୍କା ସେଠାରେ ପଡିଛି । ଭାବିଲି ଆପଣଙ୍କର ହୋଇଥିବ ବୋଲି ନେଇ ଆସିଛି । ଦେଖି, ରଖନ୍ତୁ ।”

                ବିଶ୍ୱବନ୍ଧୁ ଟଙ୍କା ପୁଟୁଳାକୁ ଛୁଇଁବା ପୂର୍ବରୁ ଘର ଭିତରକୁ ଦୌଡି ଗଲେ ଓ କିଛି ସମୟ ପରେ ଫେରି ଆସି ସେ କହିଲେ, “ମାଧବ, ପ୍ରକୃତରେ ସେ ଟଙ୍କାଟି ମୋର, ସମୁଦାୟ ଅଶି ଟଙ୍କା ନା?”

ମାଧବ କହିଲା “ହଁ, ବାବୁ ଅଶିଟା ମୁଦ୍ରା ତ ଥିଲା ।”

ବିଶ୍ୱବନ୍ଧୁ ମାଧବ ଦେଇଥିବା ପୁଟୁଳାକୁ ହାତରେ ଉଠାଇ ନେଇ କହିଲେ, “ପଅରିଦିନ ମୁଁ ତୋ ଗାଡିରେ ଆସିବା ବେଳେ ମୋର ଗୋଟିଏ ଟଙ୍କା ଥଳୀ ଥିଲା । ସେଥିରେ ଗୋଟାଏ କଣା ଥିଲା ବୋଲି ମୁଁ ଆଉ ଜାଣି ନଥିଲି ଏବେ ଦେଖିଲି । କିନ୍ତୁ ତୁ କିପରି ଜାଣିଲୁ ଯେ ଏହି ଟଙ୍କାଟା ମୋର ବୋଲି । ଅନ୍ୟ ତିନିଜଣ ଯାତ୍ରୀ ମଧ୍ୟ ଗାଡିରେ ଥିଲେ ।”

ମାଧବ ହସି ହସି କହିଲା, “ପ୍ରଥମେ କାଲି ସକାଳେ ଟଙ୍କା ସବୁ ଗାଡିରେ ପଡିଥିବାର ଦେଖି ଜାଣିଲି ତାହା ଆପଣ ଚାରିଜଣଙ୍କ ମଧ୍ୟରୁ ଜଣକର । ତା’ପରେ ମୁଁ ଭାବିଲି ଏ ଟଙ୍କା କାହାର ହୋଇପାରେ । ଚନ୍ଦୁଲାଲ ଏତେ କଞ୍ଜୁସ୍ ଯେ ଟଙ୍କା ତା’ର ଜୀବନ; ସେ ପଇସା ଥଳୀକୁ ଦୁଇହାତରେ ଜାବୁଡି ଧରି ଗାଡିରେ ବସିଥାଏ ତେଣୁ ତା’ ହାତରୁ ତ ଏ ପଇସା କେବେବି ପଡିବା କଥା ନୁହେଁ । ତା’ଛଡା ମାଷ୍ଟର ମହାଶୟ ତ କରଜ ଶୁଝିବାକୁ ଯାଇଥିଲେ, ସେ ପୁଣି କହିଲେ, ଟଙ୍କା ଯଥେଷ୍ଟ ନ ଥିବାରୁ ତାଙ୍କୁ ତାଙ୍କ ସାଙ୍ଗ ପାଖରୁ ଅଳ୍ପ କିଛି ଧାର କରି କରଜ ଶୁଝିବାକୁ ହେଲା । ତେଣୁ ଏ ଟଙ୍କା ତ ତାଙ୍କର କଦାପି ମଧ୍ୟ ହୋଇ ନ ପାରେ । ତା’ପରେ ରହିଲା ଚାଷୀ ଭୋଳା । ସେ ବିଚାରା ତ ମଞ୍ଜି କିଣିବାକୁ କିଛି ଟଙ୍କା ନେଇ ଯାଇଥିଲା, ସେଥିରେ ସେ ମଞ୍ଜି କିଣି ଫେରୁଛି । ତା’ ପାଖରେ ବା କୁଆଡୁ ଏତେଗୁଡାଏ ଟଙ୍କା ଆସିବ । ଯଦି ବା ସେମାନଙ୍କର ହୋଇଥା’ନ୍ତା । ସେମାନେ ଦୌଡି ଦୌଡି ମୋ ପାଖକୁ ପଇସା ଖୋଜିବାକୁ ଆସନ୍ତେ । ତେଣୁ ଶେଷକୁ ବାକି ରହିଲେ କେବଳ ଆପଣ । ତେଣୁ ମନ ମଧ୍ୟରେ ମୁଁ ନିଶ୍ଚୟ କରିନେଲି କି ଏହା ନିଶ୍ଚୟ ଆପଣଙ୍କରହିଁ ଟଙ୍କା । ସେଥିପାଇଁ ମୁଁ ସିଧା ଏଠାକୁ ଆସିଲି ।”

ବିଶ୍ୱବନ୍ଧୁ ହସି ହସି କହିଲେ “ଆଚ୍ଛା । ତେବେ ତ ତୁ ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିଛୁ ଓ ଠିକ୍ ବିଚାର କରିଛୁ ।”

ମାଧବ ହସି ହସି କହିଲା, “ମୋ ମନ ଭିତରେ ଯାହାବି ଟିକିଏ ଦୋଦୋପାଂଚ ଭାବ ଥିଲା, ଯେତେବେଳେ ଦେଖିଲି ଆପଣ, ଟଙ୍କା ଥଳୀକୁ ନ ଛୁଇଁ ଭିତରକୁ ଯାଇ ନିଜର ଟଙ୍କା ଥଳୀ ଦେଖି ଫେରି ଆସି ତେବେ ଯାଇ “ହଁ” ବୋଲି କହିଲେ ପୁଣି ଠିକ୍ ସଂଖ୍ୟା ମଧ୍ୟ ଅଶି ବୋଲି କହିଦେଲେ, ସେତେବେଳେ ମୁଁ ମୋ ନିର୍ଣ୍ଣୟ ବିଷୟରେ ନିଃସନ୍ଦେହ ହୋଇଗଲି ।”
ମାଧବର ଏଭଳି ସାଧୁତା ଓ ବିଚାରବୁଦ୍ଧି ଦେଖି ଜମିଦାର ବିଶ୍ୱବନ୍ଧୁ ଖୁବ୍ ଖୁସି ହୋଇଗଲେ । ତା’ପରେ ସେ ସେହି ଅଶି ଟଙ୍କାର ଥଳୀଟି ମାଧବ ହାତରେ ଦେଇ କହିଲେ, “ମାଧବ, ମୁଁ ଏହାକୁ ତତେ ଦେଉଛି, ତୁ ନାହିଁ କରନା । ସତରେ ମୁଁ ଅତ୍ୟନ୍ତ ଖୁସି ହୋଇ ତତେ ଏହାକୁ ପୁରସ୍କାର ସ୍ୱରୂପ ଦେଉଛି । ଏହା ତୋର ମହତଗୁଣର ଓ ବଡପଣର ଏକ ଛୋଟ ମୂଲ୍ୟ ମାତ୍ର ।

Comments are closed.