ଦେଢ଼ ବର୍ଷ ପରେ ମହାକାଳଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

0

ଉଜ୍ଜୟନୀ: ସେପ୍‌ଟେମ୍ବର ୧୧: ଭାରତ ପ୍ରସିଦ୍ଧ ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜୟନୀର ମହାକାଳଙ୍କ ମନ୍ଦିର ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ପ୍ରାୟ ଦେଢ଼ ବର୍ଷ ପରେ ଶ୍ରଦ୍ଧାଳୁ ଆଜି ମହାକାଳଙ୍କ ଭସ୍ମାରତୀ ନୀତିକାନ୍ତି ଦେଖିବାକୁ ସୁଯୋଗ ପାଇଛନ୍ତି । ଆଜି ସକାଳୁ କୋଭିଡ୍‌ ନିୟମକୁ ମାନି ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଲାଇନ୍‌ ଲଗାଇଥିବା ନଜରକୁ ଆସିଥିଲା । କରୋନା ଯୋଗୁଁ ୨୦୨୦ରୁ ମନ୍ଦିର ବନ୍ଦ ରହିଥିଲା । ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର କମିଟିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର ଖୋଲିବା ନେଇ ନିୟମ ସହିତ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ଅନୁମତି ବିଷୟରେ ଆଲୋଚନା ହୋଇଥିଲା । ଏହାପରେ ଗତକାଲିଠାରୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ବୁକିଂ ଆରମ୍ଭ ହୋଇଯାଇଥିଲା । ମାତ୍ର କିଛି ଘଣ୍ଟା ମଧ୍ୟରେ ବୁକିଂ ଶେଷ ହୋଇଥିଲା ।

ଭସ୍ମାରତୀ ନୀତିକାନ୍ତି ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା । ଏହି ବିଧି ଅନୁସାରେ, ଭଗବାନ ମହାକାଳଙ୍କୁ ଭସ୍ମ ଲଗାଇବା ନୀତି ଗୋପନରେ ହୋଇଥାଏ । ମାନ୍ୟତା ଅନୁସାରେ, ଭଗବାନଙ୍କୁ ଯେତେବେଳେ ଭସ୍ମ ଲଗାଇଯାଏ, ସେତେବେଳେ ସେ ଦିଗମ୍ବର ରୂପରେ ରହିଥାନ୍ତି । ଭଗବାନଙ୍କ ଏହି ଭସ୍ମ ଲଗାଇବା ନୀତିକୁ ମହିଳା ଦର୍ଶନ କରିବା ନିଷେଧ । ଏହି ସମୟରେ ପଣ୍ଡିତ ମସ୍ତକକୁ ଓଢ଼ଣିରେ ଘୋଡ଼ାଇ ଭଗବାନ ମହାକାଳଙ୍କୁ ନଦେଖିବାକୁ ମହିଳାମାନଙ୍କୁ ବାରଣ କରିଥାନ୍ତି । ସୂଚନା ଅନୁସାରେ, ଭଗବାନ ମହାକାଳଙ୍କୁ କେବେ ଚିତା ଭସ୍ମ ଅର୍ପଣ କରାଯାଇନଥାଏ । ଗାଈ ଗୋବରରେ ନିର୍ମିତ ଘଷିର ଚିତା ଅର୍ପଣ କରାଯାଏ ।

Leave A Reply

Your email address will not be published.