ଗୁରୁ ଦିବସ

0

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।
ଭାରତୀୟ ପରମ୍ପରା ରେ ’ଗୁରୁ’ ଏକ ପବିତ୍ର ଶବ୍ଦଛ ଗୁରୁ…..ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି । ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ । କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଙ୍ଗୀତ । ଖେଳ ହେଉ କି ନୃତ୍ୟ । ବାଦ୍ୟ ହେଉ କି ବକୃତା, ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି । ଗୁରୁ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ । ଯୁଗେ ଯୁଗେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଭାରତର ପୂର୍ବତନ ରାଷ୍ଟ୍ରପତି ଡକଫର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ । ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍‌ ପରଚିତ ।
ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ଓ ବନ୍ଧୁମାନେ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ । ଏହାକୁ ନେଇ ସେ କହିଥିଲେ, ତୁମେମାନେ ମୋ ଜନ୍ମଦିନ ପାଳନ କରିବା ଅପେକ୍ଷା, ଯଦି ଏହି ଦିନ ଗୁରୁମାନଙ୍କ ଦିବସ ଭାବରେ ପାଳନ କରିବ ତାହା ମୋ ପାଇଁ ସମ୍ମାନର ପରିଚୟ ହେବ ।
ସେହିଦିନଠାରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବରେ ସାରାଦେଶରେ ପାଳନ ହୋଇଆସୁଛି । ୧୮୮୮ ମସିହା ସେପେଫମ୍ବର ୫ ତାରିଖରେ ତାମିଲନାଡୁ ମାଡ୍ରାସର ତିରୁତ୍ତଣି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ । ତାଙ୍କ ପିତାଙ୍କ ନାମ ଥିଲା ସର୍ବପଲ୍ଲୀ ଭୀରାସ୍‌ୱାମୀ ଆଉ ମାତାଙ୍କ ନାମ ଥିଲା ସର୍ବପଲ୍ଲୀ ସୀତାମାଆ । ତାଙ୍କର ବାଲ୍ୟଜୀବନ ମୁଖ୍ୟତଃ ତିରୁତ୍ତଣିରେ କଟିଥିଲା । ତାଙ୍କ ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବରେ କାମ କରୁଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା କେ.ଭି ହାଇସ୍କୁଲରେ ହୋଇଥିଲା । ଏହାପରେ ୧୮୯୬ ମସିହାରେ ସେ ତିରୁପତି ଚାଲିଆସିଥିଲେ ଓ ସେଠାରେ ନିଜର ଉଚ୍ଚଶିକ୍ଷା କରିଥିଲେଛ ରାଧାକ୍ରିଷ୍ଣନ ଜଣେ ମେଧାବୀ ଛାତ୍ର ଥିଲେ । ୧୭ ବର୍ଷ ବୟସରେ ମାଡ୍ରାସର ଖ୍ରୀଷ୍ଟିୟାନ୍‌ କଲେଜରେ ନାମ ଲେଖାଇଥିଲେ । ସେଠାରୁ ସେ ୧୯୦୬ ମସିହାରେ ଗ୍ରାଜୁଏଟ୍‌ ହୋଇଥିଲେ ।

ଗ୍ରାଜୁଏଟ୍‌ ହେବାପରେ ଅଧ୍ୟାପକ ଭାବରେ କାମ କରିଥିଲେ । ୧୯୩୧ରୁ ୧୯୩୬ ମସିହା ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ରହିଥିଲେ । ପରବର୍ତ୍ତୀ ସମୟରେ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଧାକ୍ରିଷ୍ଣନ୍‌ ରାଜନୀତିରେ ପ୍ରବେଶ କରିଥିଲେ । ଭାରତ ସ୍ୱାଧୀନ ହେବାପରେ ସେ ୟୁନେସ୍କୋରେ ଭାରତର ପ୍ରତିନିଧି ହୋଇଥିଲେ । ଏହାପରେ ସେ ସୋଭିଏତ ସଂଘରେ ଭାରତର ଆମ୍ବାସାଡାର ନିଯୁକ୍ତ ହୋଇଥିଲେ । ୧୯୪୯ରୁ ୧୯୫୨ ମସିହା ମଧ୍ୟରେ ସେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ମଧ୍ୟ ରହିଥିଲେ । ଏହାପରେ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ । ଡକଫର ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ହୋଇଥିଲେ ।
୧୯୫୪ ମସିହାରେ ରାଧାକ୍ରିଷ୍ଣନ୍‌ଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ଥାଏ । ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ’ ନିଜକୁ ଯେ ନିରନ୍ତର ଶିକ୍ଷା ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ’ । ଗୁରୁ ଓ ରାସ୍ତା ଏକାପରି । ସେମାନେ ଗୋଟିଏ ଜାଗାରେ ଥିବେ, କି;ୁ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିବେ । ଏହା ହିଁ ତ ଗୁରୁଙ୍କ ମହାନତା । ଛାତ୍ର-ଛାତ୍ରୀଙ୍କ ଏକ ସୁନ୍ଦର ଭବିଷ୍ୟତ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ । କଞ୍ଚାମାଟିର ପିତୁଳାକୁ ସେ ଦେବତା ରୂପେ ଗଢିବାକୁ ନିରନ୍ତର ପ୍ରୟାସ ଜାରି ରଖିଥାଆନ୍ତି । ବିନା ଗୁରୁରେ କେହି ବି ଜ୍ଞାନୀ ପଦବାଚ୍ୟ ହୋଇପାରି ନଥାଏ । ଗୁରୁ ହିଁ ପ୍ରେରଣାର ଉତ୍ସ । ଯେତେବେଳେ ଆମେ ଜନ୍ମ ନେଉ, ସର୍ବପ୍ରଥମେ ଆମେ ନିଜ ପିତାମାତାଙ୍କଠାରୁ ଜୀବନର ପ୍ରାରମ୍ଭିକ ଶିକ୍ଷା ମିଳେ । ପିତା-ମାତା ହେଉଛନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ । ଶିଶୁଟି ଧରା ଛୁଇଁବା ପରେ ତାକୁ ତା ମାଆ କୋଳେଇ ନିଏ, ତାର ଅଳି-ଅର୍ଦ୍ଦଳି ସବୁ ସହେ । କେମିତି ଚାଲିବ, କେମିତି ଖାଇବ, କେମିତି କଥା କହିବ, କେମିତି ବସିବ ପରି ଅନେକ ଶିଷ୍ଟାଚାର କଥା, ସମାଜରେ ଅନୁରୂପ ବଞ୍ଚିବାର କଳା ଶିଖେଇଥାଆନ୍ତି ପିତା-ମାତା । ବ୍ୟବହାର, ଶୈଳୀ, ଶିଷ୍ଟାଚାର, ଭଦ୍ରାମୀ କ’ଣ ତାହା ଉଭୟ ବାପା-ମାଆ ହିଁ ଶିଶୁଟିକୁ ଜଣାଇଥାଆନ୍ତି । ତେଣୁ ଉଭୟ ତାର ପ୍ରଥମ ଗୁରୁ । ଜଣେ ଶିକ୍ଷକଙ୍କୁ ଯେମିତି ସମ୍ମାନ ଦିଆଯାଏ, ଠିକ୍‌ ସେହିଭଳି ନିଜ ବାପା-ମାଆଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ୍‌ । ଯିଏ ନିଜ ବାପା-ମାଆଙ୍କୁ ସମ୍ମାନ ଦେଇ ଜାଣେନା, ସେ କାହାକୁ ସମ୍ମାନ କରିବା ଶିଖି ପାରେନା । କାରଣ ଉଭୟ ନଥିଲେ ଜଣେ ଶିଶୁର ଭବିଷ୍ୟତ କେବେ ବି ଉତ୍ତମ ରୂପେ ଗଢା ହୋଇପାରିବ ନାହିଁ । ପିତାମାତାଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି, ସେ ହେଉଛନ୍ତି ଶିକ୍ଷା ଗୁରୁ । ଯିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୂରଣୀୟ । ପିଲାର ସମ୍ପୂର୍ଣ୍ଣ ଭବିଷ୍ୟତ ନ୍ୟସ୍ତ ଥାଏ ଜଣେ ଶିକ୍ଷକଙ୍କ ଉପରେ । ପିଲାଟି ଯେବେ ଖଡି ଧରିବା ଆରମ୍ଭ କରିଥାଏ, ଶିକ୍ଷା ଗୁରୁର ଶିକ୍ଷକତା ସେହିଠାରୁ ହିଁ ଆରମ୍ଭ ହୋଇଥାଏ । ବିନା ଗୁରୁରେ ଛାତ୍ରର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଥାଏ । ତେଣୁ ତାଙ୍କୁ କେବେ ବି ଅବମାନନା କରିବା ଉଚିତ୍‌ ନୁହେଁ । ଶିକ୍ଷା ହେଉଛି ପ୍ରଗତିର ମାପକାଠି । ଏହା ମାଧ୍ୟମରେ ହିଁ ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଅଣାଯାଇପାରିବ । ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଆଦର୍ଶ ଶିକ୍ଷକ ହେବା ।
ମୋ ଜୀବନର ପ୍ରତ୍ୟେକ ଟି ପାହାଚରେ ଶିକ୍ଷା ଦେଇ ଆସିଥିବା ସମସ୍ତ ଗୁରୁଙ୍କୁ ପବିତ୍ର ଗୁରୁ ଦିବସ ଉପଲକ୍ଷେ ମୋର ପ୍ରଣାମ ।

ଲେଖକ- ବିଶ୍ୱବିଜୟୀ ଦାଶ
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା
ପିନ୍‌- ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮

 

Leave A Reply

Your email address will not be published.